ରାୟଗଡ଼ା,୧୧।୯(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ଟିକିରି ଥାନା ଅଧୀନ ଉପରକୋଡ଼ିଙ୍ଗା ଗ୍ରାମର ଜଣେ ମହିଳା ସାଇବର ଠକେଇ ଶିକାର ହୋଇଥିବା ଅଭିଯୋଗ ହୋଇଛି। ରାଜୁ ସାହୁଙ୍କ ସ୍ତ୍ରୀ ସୁନେମି ସାହୁଙ୍କ ମୋବାଇଲରେ ଏକ ହ୍ୟାକିଂ ଆପ୍ ଡାଉନଲୋଡ଼ ହୋଇ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୧ ଲକ୍ଷ ୯୨ହଜାର ଟଙ୍କା ଗାଏବ ହୋଇଯାଇଛି ା ସାଇବର ଅପରାଧୀ ୭ଟି ଫେଜ୍ରେ ଏହି ଟଙ୍କା ନେଇଥିବା ଜଣାପଡ଼ିଛି।
ସୁନେମିଙ୍କ ସ୍ବାମୀ ରାଜୁଙ୍କ କହିବାନୁସାରେ, ଗତ ୨ତାରିଖରେ ତାଙ୍କ ମୋବାଇଲରେ ଆର୍ଟିଓ ଚାଲାଣ ଏପିକେ ନାମକ ଏକ ଆପ୍ ଆପେ ଆପେ ଡାଉନଲୋଡ଼ ହୋଇଥିଲା। ଏହାପରେ ସୁନେମିଙ୍କ ଆଇସିଆଇସିଆଇ ବ୍ୟାଙ୍କ ଆକାଉଣ୍ଟରୁ ୭ ଥର କରି ୧ଲକ୍ଷ ୯୨ହଜାର ଟଙ୍କା କଟି ଯାଇଥିଲା। ଏ ନେଇ ବ୍ୟାଙ୍କ ସହିତ ଯୋଗାଯୋଗ କରିବାରୁ ସାଇବର ଠକେଇ ହୋଇଥିବା କର୍ତ୍ତୃପକ୍ଷ କହିବା ସହିତ ପୋଲିସରେ ଏତଲା ଦେବାକୁ କହିଥିଲେ ।
ଟିକିରି ଥାନାରେ ଏତଲା ଦେବାକୁ ଯିବାରୁ ସାଇବର ଥାନାରେ ଏତଲା ଦେବା ପାଇଁ କହିଥିଲେ । ତେଣୁ ସୁନେମି ଗୁରୁବାର ତାଙ୍କ ସ୍ବାମୀଙ୍କ ସହିତ ରାୟଗଡ଼ା ଏସ୍ପି କାର୍ଯ୍ୟାଳୟସ୍ଥିତ ସାଇବର ବିଭାଗରେ ଏତଲା ଦେଇଥିଲେ।


