୯ ପ୍ରକଳ୍ପକୁ ୧.୫୩ ଲକ୍ଷ କୋଟି

ଭୁବନେଶ୍ୱର,୨୦ା୧(ବ୍ୟୁରୋ):ରାଜ୍ୟସ୍ତରୀୟ ହାଇଲେଭଲ କ୍ଲିୟରାନ୍ସ ଅଥରିଟି(ଏଚ୍‌ଏଲ୍‌ସିଏ) ପକ୍ଷରୁ ୧,୫୩,୦୭୪.୬୩ କୋଟି ଟଙ୍କାର ୯ଟି ବୃହତ୍‌ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏଚ୍‌ଏଲ୍‌ସିଏ ବୈଠକରେ ଗ୍ରୀନ୍‌ ଏନର୍ଜି ଓ ଉପକରଣ କ୍ଷେତ୍ରର ୪ଟି ପ୍ରକଳ୍ପ, ପେପର ଶିଳ୍ପର ୨ଟି, ମେଟାଲ ଓ ମିନେରାଲ କ୍ଷେତ୍ରର ୨ଟି ଏବଂ ଆଇଟି କ୍ଷେତ୍ରର ଗୋଟିଏ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଏହାଦ୍ୱାରା ରାଜ୍ୟରେ ମୋଟ ୨୭,୦୩୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ ବୋଲି ଜଣାପଡ଼ିଛି।
ଏହି ଅନୁମୋଦିତ ପ୍ରକଳ୍ପଗୁଡ଼ିକ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ ମାଧ୍ୟମରେ ରାଜ୍ୟରେ ପୁଞ୍ଜିନିବେଶ ନିମନ୍ତେ ଆସିଥିଲା। ଏହି ପ୍ରକଳ୍ପଗୁଡ଼ିକ ବାଲେଶ୍ୱର, ଢେଙ୍କାନାଳ, ଜଗତ୍‌ସିଂହପୁର, ଗଞ୍ଜାମ, କଳାହାଣ୍ଡି, ଖୋର୍ଦ୍ଧା, କୋରାପୁଟ ଓ ମୟୂରଭଞ୍ଜ ଜିଲାରେ ସ୍ଥାପନ ହେବ। ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ୍‌ ଇଣ୍ଡିଆ ୩୮ହଜାର କୋଟି ଟଙ୍କା ବ୍ୟୟରେ ପାରାଦୀପରେ ବାର୍ଷିକ ୭ନିୟୁତ ଟନ୍‌ ବିଶିଷ୍ଟ ଇସ୍ପାତ କାରଖାନା ସ୍ଥାପନ କରିବ। ଏହାଦ୍ୱାରା ୧୧,୪୯୫ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ। ସେହିପରି ରୁଙ୍ଗ୍‌ଟା ମେଟାଲ୍‌ସ ପ୍ରାଃ ଲିମିଟେଡ୍‌ ୧୧୪୦କୋଟି ଟଙ୍କା ବ୍ୟୟରେ ମୟୂରଭଞ୍ଜରେ ନିଜର ଷ୍ଟିଲ୍‌ ପ୍ଲାଣ୍ଟକୁ ବାର୍ଷିକ ୦.୫ ନିୟୁତ ଟନ୍‌ରୁ ଏକ ନିୟୁତ ଟନ୍‌ କ୍ଷମତାକୁ ସମ୍ପ୍ରସାରଣ କରିବ। ଏହାଦ୍ୱାରା ଅଧିକ ୧୦୧୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ।
ଏସିଏମ୍‌ଇ କ୍ଲିନ୍‌ ଏନର୍ଜି ପ୍ରାଇଭେଟ ଲିମିଟେଡ୍‌ର ୫୮୨୦୯.୧୩ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। କମ୍ପାନୀ ଜଗତ୍‌ସିଂହପୁର ଜିଲାର କୁଜଙ୍ଗଠାରେ ୧.୧ ମିଲିୟନ କ୍ଷମତା ବିଶିଷ୍ଟ ଗ୍ରୀନ୍‌ ହାଇଡ୍ରୋଜେନ୍‌ ପ୍ଲାଣ୍ଟ ଓ ଗ୍ରୀନ୍‌ ଆମୋନିଆ ପ୍ଲାଣ୍ଟ ସ୍ଥାପନ କରିବ। ସେହିପରି କୋରାପୁଟ ଓ କଳାହାଣ୍ଡି ଜିଲାରେ ୪୫୦୦ ମେଗାୱାଟ ସୋଲାର ପାୱାର ପ୍ଲାଣ୍ଟ
ସ୍ଥାପନ କରିବ। ଏହା ଦ୍ୱାରା ମୋଟ ୩୪୦୦ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ ବୋଲି ଜଣାପଡ଼ିଛି। ସେହିପରି ଆଭାଦା ଗ୍ରୀନ୍‌ ଏଚ୍‌୨ପ୍ରାଇଭେଟ ଲିମିଟେଡ ଗଞ୍ଜାମ ଜିଲାରେ ୨୩,୫୦୦ କୋଟି ଟଙ୍କାର ପୁଞ୍ଜିନିବେଶ କରିବ।
ଏହାଦ୍ୱାରା ୧୫୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ରିନ୍ୟୁଏଫୁଏସସ ପ୍ରାଇଭେଟ ଲିମିଟେଡ ଏବଂ ଓସିଅର ଏନର୍ଜୀ ପ୍ରାଇଭେଟ ଲିମିଟେଡ ସବୁଜ ଶକ୍ତି ଓ ଉପକରଣ କ୍ଷେତ୍ରରେ ୨ଟି ପ୍ରକଳ୍ପ ସ୍ଥାପନ କରିବେ। ଏଥିରେ ୩,୩୦୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ। କାଗଜ କ୍ଷେତ୍ରରେ ବ୍ୟାଙ୍କ ନୋଟ୍‌ ପେପର ମିଲ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ ଏବଂ ଦିବ୍ୟଶକ୍ତି ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ ବାଲେଶ୍ୱରରେ ୨୫୦୦ କୋଟି ବ୍ୟୟରେ ଏକ ବ୍ୟାଙ୍କ ନୋଟ ପେପର ୟୁନିଟ୍‌ ସ୍ଥାପନ କରିବେ। ଏଥିରେ ୮୦୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ। ସେହିପରି ଦିବ୍ୟଶକ୍ତି ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌ ଢେଙ୍କାନାଳଠାରେ ୧ ହଜାର କୋଟି ବ୍ୟୟରେ ଇଣ୍ଟିଗ୍ରେଟେଡ ପଲପ ଆଣ୍ଡ ପେପର ମିଲ୍‌ ସ୍ଥାପନ କରିବ। ଏଥିରେ ୩ ହଜାର ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ସେହିପରି ଆଇଟି ଭିତ୍ତିଭୂମି କ୍ଷେତ୍ରରେ ମାଇଁ ହୋମ୍‌ କନ୍‌ଷ୍ଟ୍ରକ୍ସନ ପ୍ରାଇଭେଟ ଲିମିଟେଡ ଭୁବନେଶ୍ୱରରେ ୧୫୨୫.୫୦ କୋଟି ଟଙ୍କାର ପୁଞ୍ଜିନିବେଶ କରିବ। ଏଥିରେ ପ୍ରାୟ ୨୫୦୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବା ସମ୍ଭାବନା ରହିଛି।