ଠକିଲେ ୧.୪୦ କୋଟି, ମିଳିଲା ୧୨ ଲକ୍ଷ

ଭୁବନେଶ୍ୱର,୨।୬(ବ୍ୟୁରୋ):ରାଜ୍ୟରେ ଅନ୍‌ଲାଇନ କାରବାର ବୃଦ୍ଧି ପାଇଛି। ଏହାର ସୁଯୋଗ ନେଇ ସାଇବର ଠକମାନେ ଗତ ମେ ମାସରେ ରାଜ୍ୟରେ ୧କୋଟି ୪୦ ଲକ୍ଷ ଟଙ୍କା ଠକି ନେଇଛନ୍ତି। ଏଥିମଧ୍ୟରୁ ୧୨ ଲକ୍ଷ ଟଙ୍କା ଫେରସ୍ତ ଆଣିବାରେ ପୋଲିସ ସଫଳ ହୋଇଛି। ମଙ୍ଗଳବାର କମିଶନରେଟ୍‌ ପୋଲିସର ସାଇବର ସେଲ୍‌ ପକ୍ଷରୁ ଏ ସଂକ୍ରାନ୍ତ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଉଲ୍ଲେଖ ହୋଇଛି ଯେ, ଲକଡାଉନ୍‌ ଓ ଶଟଡାଉନ୍‌ ଭିତରେ ମେ ମାସରେ ରାଜ୍ୟରୁ ୧ କୋଟି ୪୦ଲକ୍ଷ ୯ହଜାର ୪୬୯ ଟଙ୍କା ସାଇବର ଠକ ଠକିନେଇଛନ୍ତି। କେବଳ ଭୁବନେଶ୍ୱରରୁ ୭୦ଲକ୍ଷ ୭୮ ହଜାର ୭୧୪ ଟଙ୍କା ଠକି ନିଆଯାଇଛି। ତେବେ ଅଭିଯୋଗ କ୍ରମେ ୧୨ ଲକ୍ଷ ୫ହଜାର ୩୦୬ ଟଙ୍କା ଫେରାଇ ଆଣିବାରେ ପୋଲିସ ସଫଳ ହୋଇଛି। ମେ’ ମାସରେ ୧୭ ଟି ମାମଲା ବିଭିନ୍ନ ଥାନାରେ ରୁଜୁ ହୋଇଛି। ସାଇବର ଡେସ୍କକୁ ୫୨୯ଟି କଲ୍‌ ଆସିଥିଲା। ଏଥିରୁ ଭୁବନେଶ୍ୱରରୁ ୨୫୬ କଲ୍‌ ରହିଛି । ୧୬୦ଟି ୟୁପିଆଇରେ ଠକେଇ ମଧ୍ୟରୁ ଭୁବନେଶ୍ୱରରୁ ୬୩ଟି , କ୍ରେଡିଟ୍‌ ଓ ଡେବିଟ୍‌ କାର୍ଡ ମାଧ୍ୟମରେ ୧୦୦ଟି ଠକେଇରୁ ରାଜଧାନୀରୁ ୪୮ଟି ରହିଛି। କଲ୍‌ ମାଧ୍ୟମରେ ୨୬୯ ଠକେଇ ମଧ୍ୟରୁ ୮୫ଟି ଭୁବନେଶ୍ୱରର ବୋଲି ଜଣାପଡ଼ିଛି। ଅଭିଯୋଗ କ୍ରମେ ୫୬ଟି ନମ୍ବରକୁ ବ୍ଲକ କରାଯାଇଛି। ବାରମ୍ବାର ଜନସଚେତନତା ସତ୍ତ୍ୱେ ଇ-ପେମେଣ୍ଟ ବ୍ୟବସ୍ଥା ଯୋଗୁ ଠକେଇ ଅଧିକ ହେଉଛି। ଏ ନେଇ ଅଭିଯୋଗ ପାଇଁ ସାଇବର ସେଲ୍‌ ପକ୍ଷରୁ ହେଲ୍ପ ଡେସ୍କ ନମ୍ବର ୭୪୪୦୦୦୬୭୦୯ ଜାରି କରାଯାଇଛି।