୧.୨୯ କୋଟି ଲୁଟ୍‌: ଅଧଘଣ୍ଟାରେ ଲୁଟେରାଙ୍କୁ ଧରିଲା ପୋଲିସ

ଢେଙ୍କାନାଳ ଅଫିସ/ଆଠଗଡ଼,୧୧।୧୦(ଡି.ଏନ୍‌.ଏ.): ଏଟିଏମ୍‌ କ୍ୟାସ ଭ୍ୟାନରୁ ଟଙ୍କା ଲୁଟି କରି ଫେରାର ହେଉଥିବା ୩ ଲୁଟେରାଙ୍କୁ ପୋଲିସ ଘଟଣାର ଅଧଘଣ୍ଟା ମଧ୍ୟରେ ଧରିବାରେ ସଫଳ ହୋଇଛି। ଢେଙ୍କାନାଳ ଜିଲା ସଦାଶିବପୁର ଭୋଜଦେଇପୁର ଗ୍ରାମରୁ ପୋଲିସ ଲୁଟେରାଙ୍କୁ କାବୁ କରିଛି। ସେମାନଙ୍କଠାରୁ ପୋଲିସ ୪ଟି ପିସ୍ତଲ ଏବଂ କୋଟିଏ ୫ ଲକ୍ଷ ଟଙ୍କା ଜବତ କରିଛି। ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଥିବା ଜଣାପଡିଛି। ତାଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ ଚଲାଇଛି।

ମିଳିଥିବା ସୂଚନା ମୁତାବକ, ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ଏକ ଏଟିଏମ୍‌ କାଉଣ୍ଟରରେ ଟଙ୍କା ଲୋଡ କରିବା ପାଇଁ ଏକ କ୍ୟାସ ଭ୍ୟାନ ଆଠଗଡ଼ରୁ ତିଗିରିଆ ଯାଉଥିଲା। ମଝି ରାସ୍ତାରେ ଭୋକ ହେବାରୁ ଏକ ଢାବା ନିକଟରେ କର୍ମଚାରୀମାନେ ଅଟକି ରହିଥିଲେ। ସେତିକିବେଳେ ୫ରୁ ୬ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଏକ କାରରେ ଆସି କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ପରେ କ୍ୟାସ ଭ୍ୟାନ ଧରି ଫେରାର ହୋଇଯାଇଥିଲେ।

ଖବର ପାଇଁ ଆଠଗଡ଼ ପୋଲିସ ବିଭିନ୍ନ ଥାନାକୁ ଜଣାଇଥିଲା। ଢେଙ୍କାନାଳ ପୋଲିସ ତତ୍ପରତା ଦେଖାଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା। ସେତିକିବେଳେ ଏକ କାର୍‌ ଦ୍ରୁତ ଗତିରେ ଯାଉଥିବା ଖବର ମିଳିଥିଲା। ଏନେଇ ପୋଲିସର ଏକ ଟିମ୍‌ କାରକୁ ପିଛା କରିଥିଲା। ପାଖାପାଖି ଅଧଘଣ୍ଟା ପିଛା ପରେ ଦୁବୃର୍ତ୍ତମାନେ କାର୍‌କୁ ବ୍ରହ୍ମଣୀ ନଦୀ କୂଳରେ ଛାଡି ଟଙ୍କା ଧରି ପଲାଉ ଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ ୩ଙ୍କୁ ଧରିଥିଲେ। ପୋଲିସ ଅଭିଯୁକ୍ତଙ୍କ ନିକଟରୁ କୋଟିଏ ୫ ଲକ୍ଷ ଟଙ୍କା ଜବତ କରିଛି। ଫେରାର ଅଭିଯୁକ୍ତ ଭାଗ ଟଙ୍କା ଧରି ଚମ୍ପଟ ମାରିଛି। କ୍ୟାସ ଭ୍ୟାନରୁ କୋଟିଏ ୨୯ ଲକ୍ଷ ଟଙ୍କା ଲୁଟ ହୋଇଥିଲା।