୧.୧୫ କୋଟି ଠକେଇ, ବ୍ୟାଙ୍କ କ୍ୟାଶିୟର ଗିରଫ

ଭୁବନେଶ୍ୱର,୩୦।୧(ବ୍ୟୁରୋ):ଦେଢ କୋଟି ଟଙ୍କା ଅର୍ଥ ହେରଫେର ଅଭିଯୋଗରେ ଜଣେ ବ୍ୟାଙ୍କ ଅଧିକାରୀଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) କଳାହାଣ୍ଡି ଜିଲା ଭବାନୀପାଟଣାରୁ ଗିରଫ କରିଛି। ସେ ହେଲେ କଟକ ଜିଲା ନିଆଳି ଅଞ୍ଚଳରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ପହଙ୍ଗା ଶାଖାର କ୍ୟାଶିୟର ବଂଶୀଧର ମାଝି। ଏନେଇ ଇଓଡବ୍ଲ୍ୟୁ ମାମଲା (ନଂ.୪/୨୩) ରୁଜୁ କରି ନିିଆଳି ଜେଏମ୍‌ସି କୋର୍ଟରେ ହାଜର କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ଅଭିଯୁକ୍ତ ମାଝି ୨୪ ମେ ୨୦୨୧ରୁ ୧୯ ମେ ୨୦୨୨ ପର୍ଯ୍ୟନ୍ତ ଓଡିଶା ଗ୍ରାମ ବ୍ୟାଙ୍କର ପହଙ୍ଗା ଶାଖା ଏବଂ ୨୦ ମେ ୨୦୨୨ରୁ ୨୩ ମେ ୨୦୨୨ ପର୍ଯ୍ୟନ୍ତ ବିନିଶପୁର ଶାଖାର କ୍ୟାସିଅର୍‌ ଭାବରେ କାର୍ଯ୍ୟ କରିଥିଲେ। ଏହି ସମୟରେ ଗ୍ରାହକଙ୍କ ଟଙ୍କାକୁ ସେମାନଙ୍କ ଆକାଉଣ୍ଟ ବଦଳରେ ନିଜ ଆକାଉଣ୍ଟରେ ଜମା କରୁଥିଲେ। ଏପରିକି ବିଶ୍ୱାସ ଜନ୍ମାଇବା ଲାଗି ଜମାକାରୀଙ୍କୁ ଏକ ନକଲି ରସିଦ ଦେଇ ଆକାଉଣ୍ଟରେ ଜମା ହୋଇଗଲା ବୋଲି କହୁଥିଲେ। ଏହାସହ ସେ ବେଆଇନ ଭାବେ ଏସ୍‌ଏଚ୍‌ଜି ଗ୍ରୁପ ଆକାଉଣ୍ଟରୁ ତାଙ୍କ ବ୍ୟକ୍ତିଗତ ତଥା ଅନ୍ୟାନ୍ୟ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିଦେଉଥିଲେ। ଗ୍ରାହକଙ୍କ ଜମା ଟଙ୍କାକୁ ମଧ୍ୟ ଅପବ୍ୟବହାର କରୁଥିଲେ। ଗ୍ରାହକଙ୍କ ନାମରେ ଏଟିଏମ୍‌ କାର୍ଡ କରି ନିଜେ ଟଙ୍କା ଉଠାଇ ନେଉଥିଲେ। ଏହିଭଳି ଭାବେ ଅଭିଯୁକ୍ତ ମାଝି ୧ .୧୫ କୋଟି ଟଙ୍କା ଠକେଇ କରିଥିଲେ। ଅଡିଟ୍‌ରୁ ଜଣାପଡିବା ପରେ ଉକ୍ତ ବ୍ୟାଙ୍କର ରିଜିଓନାଲ ମ୍ୟାନେଜର ଜତିନ୍ଦ୍ର ନାଥ ଷଡଙ୍ଗୀ ଏନେଇ କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିଥିଲେ।