ଡେରାବିଶ ବ୍ଲକରେ ୧.୦୬ କୋଟି ଟଙ୍କାର ସରକାରୀ ଅର୍ଥ ହଡ଼ପ: ସଦର ଥାନାରେ ବିଡ଼ିଓଙ୍କ ଏତଲା, ବରିଷ୍ଠ କିରାଣୀ ଫେରାର

ଡେରାବିଶ, ୨୯।୧୦ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକରେ କାର୍ଯ୍ୟରତ ବରିଷ୍ଠ କିରାଣୀ ଶଶିକାନ୍ତ ରଣା ଚଞ୍ଚକତା କରି ୧ କୋଟି ୬ ଲକ୍ଷ ୩ ହଜାର ୫୯୫ ଟଙ୍କାର ସରକାରୀ ଅର୍ଥ ହଡ଼ପ କରିଥିବା ସାଙ୍ଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ଏହି ବିରାଟ ଅର୍ଥ ହେରଫେର ସମ୍ପର୍କରେ ଜିଲା ଟ୍ରେଜେରୀ ଅଧିକାରୀ ସଚିଦାନନ୍ଦ ବେହେରା ଡେରାବିଶ ବିଡ଼ିଓ ନମିତା ବାରିକଙ୍କୁ ଚିଠି ମାଧ୍ୟମରେ ଅବଗତ କରାଇବା ସହ ତୁରନ୍ତ ଟଙ୍କା ଫେରସ୍ତ ଆଣିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଘଟଣାରେ ବିଡ଼ିଓ ଶ୍ରୀମତୀ ବାରିକ ଗୁରୁବାର ସନ୍ଧ୍ୟାରେ ଅଭିଯୁକ୍ତ କିରାଣୀଙ୍କ ବିରୋଧରେ କେନ୍ଦ୍ରାପଡ଼ା ସଦର ଥାନାରେ ଏକ ଲିଖିତ ଏତଲା ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଗତ ଜୁଲାଇ ମାସରେ ଡାଇରେକ୍ଟର ଅଫ୍‌ ଟ୍ରେଜେରୀଙ୍କ ନିର୍ଦ୍ଦେଶକ୍ରମେ କିରାଣୀ ଶ୍ରୀ ରଣାଙ୍କ ଆର୍ଥିକ ପରିଚାଳନାର ତଦନ୍ତ କରାଯାଇଥିଲା। ତଦନ୍ତରୁ ଜଣାପଡ଼ିଛି ଯେ, ଇଣ୍ଟିଗ୍ରେଟେଡ୍‌ ଫାଇନାନ୍ସିଆଲ୍‌ ମ୍ୟାନେଜମେଣ୍ଟ ସିଷ୍ଟମ୍ (IFMS) ପୋର୍ଟାଲ୍‌ର ଅପବ୍ୟବହାର କରାଯାଇ ସରକାରୀ କର୍ମଚାରୀଙ୍କ ପେନ୍‌ସନ୍‌ ଓ ପ୍ରୋଭିଜ୍‌ନାଲ୍‌ ଗ୍ରାଚ୍ୟୁଇଟି ବାବଦ ଅର୍ଥକୁ ପୁନର୍ବାର ହଡ଼ପ କରାଯାଇଛି। ଏଥିପାଇଁ ପୂର୍ବତନ ବିଡ଼ିଓ, ଏବିଡ଼ିଓ ଏବଂ ପୂର୍ବତନ ପିଇଓଙ୍କ ନାମ ବ୍ୟବହାର କରାଯାଇଥିଲା।

ମୋଟ ୧୧ଟି ଚେକ୍‌ ମାଧ୍ୟମରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ମନ୍ମଥ କୁମାର ମାହୁନ୍ତଙ୍କ ଆକାଉଣ୍ଟକୁ ୫ ଲକ୍ଷ ୮୯ ହଜାର ଟଙ୍କା ଏବଂ ବାକି ଅବଶିଷ୍ଟ ପ୍ରଚୁର ଅର୍ଥ ଶଶିକାନ୍ତଙ୍କ ଜଣେ ସମ୍ପର୍କୀୟଙ୍କ ଦୁଇଟି ଜମାଖାତାକୁ ପଠାଯାଇଥିବା ତଦନ୍ତରୁ ପଦାକୁ ଆସିଛି। ଏତେଗୁଡ଼ିଏ ସରକାରୀ ଟଙ୍କା ଚଞ୍ଚକତା କରି ଗାଏବ କରିଦିଆଯିବା ଘଟଣା ଜିଲ୍ଲା ପ୍ରଶାସନ ପାଇଁ ସିରପୀଡ଼ାର କାରଣ ହୋଇଥିବା ବେଳେ ସମଗ୍ର ଜିଲାରେ ତୀବ୍ର ଚର୍ଚ୍ଚା ସୃଷ୍ଟି କରିଛି।

ବୁଧବାର ବିଡ଼ିଓ ଶ୍ରୀମତୀ ବାରିକ ଏହାର ବିଶଦ ତଦନ୍ତ କରି ରିପୋର୍ଟ ଦେବାକୁ ବ୍ଲକ ଏକାଉଣ୍ଟସ୍‌ ଅଫିସରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଅଭିଯୁକ୍ତ କିରାଣୀ ଶଶିକାନ୍ତ ବୁଧବାରଠାରୁ ଆକସ୍ମିକ ଛୁଟିରେ ପଳାଇଥିବାରୁ ତାଙ୍କ ସହ ଯୋଗାଯୋଗ ହୋଇପାରି ନାହିଁ। ଏନେଇ ପ୍ରତିକ୍ରିୟା ପାଇଁ ବିଡ଼ିଓ ବାରିକଙ୍କ ସହ ବାରମ୍ବାର ଫୋନ୍‌ରେ ସମ୍ପର୍କ କରିବାକୁ ଚେଷ୍ଟା କରାଯାଇଥିଲେ ହେଁ ତାଙ୍କ ମୋବାଇଲ୍ ସୁଇଚ୍‌ ଅଫ୍‌ ରହିଥିଲା।

Dharitri – Odisha’s No.1 Odia Daily

Share