Categories: ଗଞ୍ଜାମ

୯୩୬ଜଣ ଭୋଟଗଣତି କର୍ମଚାରୀଙ୍କୁ ତାଲିମ

ବ୍ରହ୍ମପୁର ଅଫିସ୍‌,୧୬ା୫-ଚଳିତ ସାଧାରଣ ନିର୍ବାଚନର ଭୋଟ୍‌ଗଣତି ଆସନ୍ତା ୨୩ତାରିଖରେ ଅନୁଷ୍ଠିତ ହେବ। ଗଞ୍ଜାମ ଜିଲାର ୧୩ଟି ବିଧାନସଭା ଆସନ ଏବଂ ୨ଟି ଲୋକ ସଭା ଆସନର ଭୋଟ୍‌ଗଣତି ସକାଳ ୮ଟାରୁ ହେବ। ପ୍ରଥମେ ପୋଷ୍ଟାଲ୍‌ ବାଲଟ୍‌ ଏବଂ ପରେ ଇଭିଏମ୍‌ର ଭୋଟ୍‌ ଗଣତି କରାଯିବ।

ଏହି ଗଣତି କାର୍ଯ୍ୟରେ ୯୩୬ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ବୁଧବାରରୁ ଏମାନଙ୍କ ତାଲିମ୍‌ ପ୍ରଦାନ କରାଯାଉଛି। ବ୍ରହ୍ମପୁରସ୍ଥିତ ୟୁସିପି ଇଞ୍ଜିନିୟରିଂ ସ୍କୁଲର ୬ ଟି ରୁମ୍‌ରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚାଲିଛି। ବୁଧବାର ପ୍ରଥମ ଦିନରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଉପସ୍ଥିତ ରହି ମାର୍ଗଦର୍ଶନ ପ୍ରଦାନ କରିଥିଲେ। ପ୍ରଶିକ୍ଷଣ କାର୍ଯ୍ୟକ୍ରମ  ୩ ରୁ ୪ ଦିନ ଧରି ଚାଲିବ। ଭୁବନେଶ୍ୱରରେ ସ୍ବତନ୍ତ୍ର ପ୍ରଶିକ୍ଷଣ ନେଇଥିବା ମାଷ୍ଟର ଟ୍ରେନର୍‌ମାନେ ଏଠାରେ ସୁପରଭାଇଜର୍‌, କାଉଣ୍ଟିଂ  ଆସିଷ୍ଟାଣ୍ଟ ଓ ମାଇକ୍ରୋ ଅବ୍‌ଜରଭର୍‌ମାନଙ୍କୁ ପ୍ରଶିକ୍ଷଣ ଦେବେ। ଗଣତି ସମୟରେ ଇଭିଏମ୍‌ ଏବଂ କଣ୍ଟ୍ରୋଲ୍‌ ୟୁନିଟ୍‌କୁ କେମିତି ପରିଚାଳନା କରାଯିବ, ସେନେଇ ତାଲିମ୍‌ ପ୍ରଦାନ କରାଯିବ। ଭୋଟ ଗଣତିର ଫର୍ମାଟ କିଭଳି ପୂରଣ କରିବେ ଏବଂ ଗଣତି ସମୟରେ ସତର୍କତା ଅବଲମ୍ବନ କରବା ସମ୍ପର୍କରେ ମଧ୍ୟ ପ୍ରଶିକ୍ଷଣ ଦିଆଯିବ। ଭୋଟ ଗଣତି ସମୟରେ ମୋବାଇଲ୍‌ ଫୋନ୍‌ ସଂପୂର୍ଣ୍ଣ ଭାବେ ନିଷେଧ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ଲକ୍ଷ୍ମୀକାନ୍ତ ସେଠୀ ଓ କବୀନ୍ଦ୍ର କୁମାର ସାହୁ,ବ୍ରହ୍ମପୁର ଉପଜିଲାପାଳ ଦିଗନ୍ତ ରାଉତରାୟ, ଡ଼ୁଡ଼ା ପ୍ରକଳ୍ପ ନିର୍ଦ୍ଦେଶକ ସବ୍ୟସାଚୀ ହୋତାଙ୍କ ସମେତ ଜିଲା ପ୍ରଶାସନର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।