୯ରୁ ୩ଦିନ ପ୍ରବଳ ବର୍ଷା

ଭୁବନେଶ୍ୱର, ୮ା୭(ବ୍ୟୁରୋ): ବିହାରର ପଶ୍ଚିମ ଭାଗ ଏବଂ ଦକ୍ଷିଣ ଛତିଶଗଡ଼ ଉପରେ ଥିବା ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି। ଏହାସହ ଉତ୍ତର ପଶ୍ଚିମ ରାଜସ୍ଥାନରୁ ଉତ୍ତର ପୂର୍ବ ବଙ୍ଗୋପସାଗର ପର୍ଯ୍ୟନ୍ତ ଏକ ଟ୍ରଫ୍‌ ଲାଇନ ସୃଷ୍ଟି ହୋଇଥିବାରୁ ଏହା ପ୍ରଭାବରେ ଓଡିଶାର କିଛି ସହରରେ ବର୍ଷା ଜାରି ରହିଛି। କିନ୍ତୁ ୯ ତାରିଖରୁ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଟ୍ରଫ୍‌ ଲାଇନ ଯେତେଦିନ ରହିବ ସେତେଦିନ ଓଡ଼ିଶାରେ ବର୍ଷା ହେବ। ଏହା ପ୍ରଭାବରେ ରବିବାର ହୀରାକୁଦରେ ସର୍ବାଧିକ ୧୬ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ସେହିପରି ସମ୍ବଲପୁରରେ ୫ ମିିମି ଓ ମାଲକାନଗିରିରେ ୩ ମିମି ବର୍ଷା ରେକର୍ଡ ହୋଇଛି। ଏହାଛଡ଼ା ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବା ସୂଚନା ମିଳିଛି। କିନ୍ତୁ ସୋମବାର ବର୍ଷା କେଉଁଠି କେଉଁଠି ହେବ ସେନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କୌଣସି ପୂର୍ବାନୁମାନ କରାଯାଇନାହିଁ। ତେବେ ୯ ତାରିଖ ଦିନ ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର, କୋରାପୁଟ, ମାଲକାନଗିରିରେ ପ୍ରବଳ ବର୍ଷା ହେବ। ସେହିପରି ୧୦ ତାରିଖ ଦିନ ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଜଗତସିଂହପୁର, ଭଦ୍ରକ, କଟକ, ଢେଙ୍କାନାଳ, ସୁନ୍ଦରଗଡ଼, ସମ୍ବଲପୁର ଏବଂ ୧୧ ତାରିଖରେ କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କଳାହାଣ୍ଡି, ସୋନପୁର, ବୌଦ୍ଧ, ଦେବଗଡ଼ ଓ ଅନୁଗୋଳ ଜିଲାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।