୯ରୁ ୧୮ ଯାଏଁ ଭୁବନେଶ୍ୱରରୁ ବରଗଡ଼ ରୋଡ୍‌ ମଧ୍ୟରେ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର,୨।୧୦(ବ୍ୟୁରୋ): ବଲାଙ୍ଗୀର ଏବଂ ଲୋଇସିଂହା ଷ୍ଟେଶନ ମଧ୍ୟରେ ରେଳପଥ ଦୋହରୀକରଣ କାର୍ଯ୍ୟକ୍ଷମ ସମ୍ବନ୍ଧୀୟ ସୁରକ୍ଷା ଜନିତ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ୨୦୨୦ ଅକ୍ଟୋବର ୯ରୁ ୧୮ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟରସିଟି ସ୍ବତନ୍ତ୍ର ଟ୍ରେନ୍‌କୁ ଆଂଶିକ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ପରିପ୍ରେକ୍ଷୀରେ ପୂର୍ବତଟ ରେଳପଥର ସୂଚନା ଅନୁସାରେ ୦୨୮୯୩/୦୨୮୯୪ ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟରସିଟି ସ୍ବତନ୍ତ୍ର ଟ୍ରେନ୍‌ ଅକ୍ଟୋବର ୯ରୁ ୧୮ତାରିଖ ଯାଏଁ ଭୁବନେଶ୍ୱର ଏବଂ ବରଗଡ଼ ରୋଡ ମଧ୍ୟରେ ଚଳାଚଳ କରିବ । ଏହାସହ ବରଗଡ଼ ରୋଡ୍‌ଠାରୁ ବଲାଙ୍ଗୀର ମଧ୍ୟରେ ଉଭୟ ଦିଗରୁ ବାତିଲ ରହିବ। ୦୨୮୬୧ ରାଉରକେଲା-ଭୁବନେଶ୍ୱର-ରାଉରକେଲା ସ୍ବତନ୍ତ୍ର ଟ୍ରେନ ରାଉରକେଲାରୁ ଶନିବାର ଏବଂ ରବିବାର ବ୍ୟତୀତ ପ୍ରତିଦିନ ସକାଳ ୫ଟା ୧୦ରେ ବାହାରି ଦିନ ୧୨ଟା ୩୦ରେ ଭୁବନେଶ୍ୱର ପହଞ୍ଚିବ। ଫେରିବା ମାର୍ଗରେ ଭୁବନେଶ୍ୱର-ରାଉରକେଲା ସ୍ବତନ୍ତ୍ର ଟ୍ରେନ ଭୁବନେଶ୍ୱରରୁ ଅପରାହ୍ନ ୨ଟା ୧୦ରେ ବାହାରି ରାଉରକେଲାରେ ରାତି ୯ଟା ୪୦ରେ ପହଞ୍ଚିବ। ୦୨୮୬୧ ରାଉରକେଲା-ଭୁବନେଶ୍ୱର-ରାଉରକେଲା ସ୍ବତନ୍ତ୍ର ଟ୍ରେନ ଉଭୟ ଦିଗରୁ ରାଉରକେଲା ଏବଂ ଭୁବନେଶ୍ୱର ମଧ୍ୟରେ ରାଜଗଙ୍ଗପୁର, ବାମାରା, ଝାରସୁଗୁଡା, ରେଙ୍ଗାଲୀ, ସମ୍ବଲପୁର ସିଟି, ରେଢ଼ାଖୋଲ, ବଇଣ୍ଡା, ଅନୁଗୋଳ, ତାଳଚେର ରୋଡ୍‌, ଢେଙ୍କାନାଳ ଏବଂ ନରାଜ ମାର୍ଥାପୁରରେ ରହଣି କରିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।