୮ ମାସର ଶିଶୁପୁତ୍ରକୁ ଚେଙ୍କ

ଉମରକୋଟ,୬ା୨(ଡି.ଏନ.ଏ): ରୋଗରେ ଆକ୍ରାନ୍ତ ଶିଶୁଙ୍କୁ ଚେଙ୍କ ନ ଦେଇ ଆବଶ୍ୟକ ଚିକିତ୍ସା କରିବାକୁ ଲୋକମାନଙ୍କୁ ସଚେତନ କରାଯାଉଛି। ତଥାପି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ପରିବାର ଲୋକ ଶିଶୁଙ୍କୁ ଡାକ୍ତରଖାନା ନେବା ପରିବର୍ତ୍ତେ ଦିଶାରୀ ଓ ଗୁଣିଆ ପାଖକୁ ନେଇ ଚେଙ୍କ ଚିକିତ୍ସା କରୁଛନ୍ତି। ଏଭଳି ଚେଙ୍କ ଚିକିତ୍ସା କରାଯାଇ ଏକ ୮ ମାସର ଶିଶୁପୁତ୍ରଙ୍କୁ ଗୁରୁତର ଅବସ୍ଥାରେ ନବରଙ୍ଗପୁର ଜିଲା ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଛତିଶଗଡ ରାଜ୍ୟ ମାଙ୍କଡି ପଞ୍ଚାୟତ ବଡଗାଁର ଶ୍ରୀରାମ ରାଠୋର ଓ ସଂଯୁକ୍ତାଙ୍କ ୮ ମାସର ଶିଶୁପୁତ୍ରକୁ କିଛି ଦିନ ତଳେ ଜ୍ୱର ହୋଇଥିଲା। ଶିଶୁଟିକୁ ଡାକ୍ତରଖାନା ନେବା ପରିବର୍ତ୍ତେ ଜେଜେମା’ କଚିଲାବାଈ ଗଣ୍ଡ ଶିଶୁପୁତ୍ର ପେଟରେ ୩ଟି ଚେଙ୍କ ଦେଇଥିଲେ। କିନ୍ତୁ ଶିଶୁପୁତ୍ରର ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ଚିକିତ୍ସା ପାଇଁ ମା’ ଓ ବାପା ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ପରୀକ୍ଷା କରିବା ପରେ ଶିଶୁପୁତ୍ରଟି ନିମୋନିଆରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା।