୮୮,୨୯୩ ଚାଷୀ ବିକିଲେଣି ୫୯,୮୦,୮୫୫ କୁଇଣ୍ଟାଲ ଧାନ

ଭୁବନେଶ୍ୱର,୧୨।୧୨(ବ୍ୟୁରୋ): ରାଜ୍ୟ ସରକାରଙ୍କ ଦ୍ୱାରା ୨୦୧୯-୨୦ ବର୍ଷ ନିମନ୍ତେ ଖରିଫ ଧାନ ସଂଗ୍ରହ କାର୍ଯ୍ୟକ୍ରମରେ ବୁଧବାର ସୁଦ୍ଧା ୮୮,୨୯୩ ଚାଷୀଙ୍କଠାରୁ ୫୯,୮୦,୮୫୫ କୁଇଣ୍ଟାଲ ଧାନ କିଣାଯାଇଛି। ଗତବର୍ଷ ତୁଳନାରେ ଏହି ଧାନ ସଂଗ୍ରହ ୩୯ ପ୍ରତିଶତ ଅଧିକ ରହିଛି। ବର୍ତ୍ତମାନ ସୁଦ୍ଧା ୧୯ ଜିଲାର ୨,୧୫,୮୫୫ ଜଣ ଚାଷୀଙ୍କୁ ୨,୭୮,୨୮୯ ଟୋକନ ପ୍ରଦାନ କରାଯାଇଛି। ଧାନ ସଂଗ୍ରହ କାର୍ଯ୍ୟକ୍ରମରେ ବରଗଡ଼ର ୩୭,୦୮୮ଜଣ ଚାଷୀ ମୋଟ ୨୪,୮୯,୨୧୩ କୁଇଣ୍ଟାଲ ଧାନ ବିକ୍ରି କରିଛନ୍ତି। ସେହିପରି ବଲାଙ୍ଗୀରର ୬,୩୩୧ ଚାଷୀ ୪,୫୦,୮୯୮ କୁଇଣ୍ଟାଲ, କଳାହାଣ୍ଡିର ୧୧,୬୧୪ ଚାଷୀ ୮,୦୬,୫୪୩, କୋରାପୁଟର ୩,୪୭୮ ଚାଷୀ ୨,୫୮,୭୯୯ କୁଇଣ୍ଟାଲ ଧାନ ବିକ୍ରି କରିଛନ୍ତି। ସେହିପରି ମାଲକାନଗିରିର ୭,୦୪୫ ଚାଷୀ ୨,୭୭,୮୯୯, ନବରଙ୍ଗପୁରର ୨,୨୯୯ ଚାଷୀ ୧,୬୬,୭୩୫, ନୂଆପଡ଼ାର ୪,୪୦୬ ଚାଷୀ ୨,୦୬,୬୦୭ କୁଇଣ୍ଟାଲ, ସମ୍ବଲପୁରର ୭,୪୩୩ ଚାଷୀ ୬,୩୮,୪୧୩ କୁଇଣ୍ଟାଲ ଏବଂ ସୁବର୍ଣ୍ଣପୁରର ୬,୬୬୭ ଚାଷୀ ୫,୫୪,୭୮୭ କୁଇଣ୍ଟାଲ ଧାନ ବିକ୍ରି କରିଛନ୍ତି। ସେହିପରି ବିଭାଗୀୟ ଅଧିକାରୀମାନେ ଧାନସଂଗ୍ରହ କେନ୍ଦ୍ରରେ ଧାନ ସଂଗ୍ରହ କାର୍ଯ୍ୟର ବ୍ୟବସ୍ଥାଗତ ସୁବିଧା, ଆଗୁଆ ଟୋକନ ପ୍ରଦାନ ଏବଂ ଧାନ ବିକ୍ରି ବାବଦ ଅର୍ଥ ବ୍ୟାଙ୍କ ଆକାଉଣ୍ଟରେ ପ୍ରଦାନ ଆଦି ବିଷୟରେ ଚାଷୀମାନଙ୍କୁ ପଚାରି ବୁଝୁଛନ୍ତି। ଚଳିତ ଡିସେମ୍ବର ୧ରୁ ୧୦ ମଧ୍ୟରେ କଲ୍‌ସେଣ୍ଟର ଯୋଗେ ୪,୯୯୬ ଚାଷୀଙ୍କୁ ମୋବାଇଲ୍‌ ଯୋଗେ ଅଧିକାରୀମାନେ କଥା ହୋଇଛନ୍ତି। ତନ୍ମଧ୍ୟରୁ ୪,୯୦୨ ଚାଷୀ ଆଗୁଆ ଟୋକନ ପାଇଥିବା ଓ ୪୫୯୩ ଜଣ ଧାନ ବିକ୍ରି ଅର୍ଥ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ପାଇଛନ୍ତି।