୮୫ ବର୍ଷ ବୟସରେ ବି ଚଳଚଞ୍ଚଳ ବେଳାଭୂମି ସଫେଇ ପାଇଁ ଶକୁବାଇ ସମ୍ମାନିତ

ପୁରୀ ଅଫିସ, ୩୦।୭: ପର୍ଯ୍ୟଟନ ସହର ପୁରୀକୁ ପ୍ରତ୍ୟହ ଦେଶ ବିଦେଶର ବହୁ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଆସିଥାନ୍ତି। ତେବେ ଶ୍ରୀକ୍ଷେତ୍ର ବୁଲିବାକୁ ଆସି ସେବା ଯୋଗାଇଦେବା ଆନନ୍ଦ ଅତ୍ୟନ୍ତ ନିଆରା। ମହାରାଷ୍ଟ୍ରର ଶକୁବାଇ ଦେଶମୁଖ୍‌ ନାମ୍ନୀ ୮୫ ବର୍ଷୀୟା ବୃଦ୍ଧା ସେବା ଯୋଗାଇ ପ୍ରଶଂସା ସାଉଣ୍ଟିବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। ଶକୁବାଇ ହେଉଛନ୍ତି ମହାରାଷ୍ଟ୍ରର ଏଲୋରାସ୍ଥିତ ଶ୍ରୀସନ୍ଥ ଜନାର୍ଦ୍ଦନ ସ୍ବାମୀ ଶଙ୍କର ସଂସ୍ଥା ମୁଖ୍ୟ ଶାନ୍ତିଗିରି ମହାରାଜଙ୍କ ଅନୁଗାମୀ। ଏହି ସଂସ୍ଥାର ପ୍ରାୟ ୨ହଜାର ଅନୁଗାମୀ ପୁରୀ ଆସି ଗତ କିଛିଦିନ ହେବ ବେଳାଭୂମି ସଫେଇ କରିବା ସହ ଆଧ୍ୟାତ୍ମିକ ଜାଗରଣ ସୃଷ୍ଟି କରିଛନ୍ତି। ଏମାନଙ୍କ ମଧ୍ୟରୁ ଶକୁବାଇ ବେଳାଭୂମିରେ ସଫେଇ କରି ବୋଝରେ ଆବର୍ଜନା ସଂଗ୍ରହ କରୁଥିବା ଫଟୋକୁ ଜିଲାପାଳ ବଲୱନ୍ତ ସିଂ ଟୁଇଟ୍‌ କରିବା ପରେ ଏହା ଭାଇରାଲ ହୋଇଛି।
ନାସିକ ଜିଲା ଦେଏନ୍ଦା ତାଲୁକ ଅନ୍ତର୍ଗତ କୁମ୍ଭାରଡ଼ି ଗଁାରେ ଶକୁବାଇଙ୍କ ଜନ୍ମ। ସଂସାର କହିଲେ ୩ପୁଅ ଓ ୫ଝିଅ। ସାନଝିଅ ବର୍ଷକର ହୋଇଥିବାବେଳେ ସ୍ବାମୀ ଭୈରବ ଦେଶମୁଖଙ୍କ ପରଲୋକ ଘଟିଥିଲା। ପୈତୃକ ୬ଏକର ଜମିରେ ଜଣେ ସଫଳ ମହିଳା ଚାଷୀ ଭାବେ ଅକ୍ଲାନ୍ତ ପରିଶ୍ରମ କରି ମକା ଓ ବାଜରା ଚାଷ କରି ଗୁଜୁରାଣ ମେଣ୍ଟାଇଛନ୍ତି। ବର୍ତ୍ତମାନ ତାଙ୍କର ୩ ପୁଅ ଜଣେ ଜଣେ ସଫଳ ଚାଷୀ। ତାଙ୍କର ୮ ନାତି ଓ ୧୫ ନାତୁଣୀଙ୍କୁ ନେଇ ହସିଲା ସଂସାର। ମାତ୍ର ୧ ମାସ ପାଇଁ ସେ ଏଲୋରାସ୍ଥିତ ଆଶ୍ରମକୁ ଆସି ସେବା ଦେବା ପାଇଁ ମନସ୍ଥ କରିଥିଲେ ସୁଦ୍ଧା ୧୧ମାସ ଧରି ଆଶ୍ରମର ଗୁରୁକୂଳ ଛାତ୍ରୀଛାତ୍ରଙ୍କ ସେବା ଯତ୍ନ କରିଛନ୍ତି। ପୁରୀ ବୁଲିବାକୁ ଆସି ବେଶ୍‌ ଖୁସି ଥିବା ଶକୁବାଇ ପରିବେଶକୁ ସୁନ୍ଦର ଭାବେ ଗଢି ତୋଳିବାକୁ ବାର୍ତ୍ତା ଦେଇଛନ୍ତି। ପରିବେଶକୁ ସ୍ବଚ୍ଛ ଓ ସୁନ୍ଦର ରଖିବା ଲାଗି ତାଙ୍କ ପ୍ରୟାସ ଭବିଷ୍ୟତ ପିଢି ପାଇଁ ପ୍ରେରଣାଦାୟୀ ହୋଇରହିବ ବୋଲି ଜିଲାପାଳ କହିଛନ୍ତି। ଏହି ଅବସରରେ ଜିଲାପାଳ ଶକୁବାଇ ଏବଂ ଅନ୍ୟମାନଙ୍କୁ ସମ୍ମାନିତ କରିଛନ୍ତି। ସୋମବାର ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଅତିରିକ୍ତ ଜିଲାପାଳ ବିନୟ କୁମାର ଦାଶ, ଜିଲା କ୍ରୀଡ଼ା ଅଧିକାରୀ ଚନ୍ଦନ କୁମାର ସାହୁ, ବିଜୁ ଯୁବ ବାହିନୀ ଜିଲା ସଂଯୋଜକ ସୁଜିତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।