୭ ସ୍ବାସ୍ଥ୍ୟକେନ୍ଦ୍ରରେ ୬ ଡାକ୍ତର, ଧାରଣାରେ ବସିଲା ସୂଚନା ଅଧିକାର ଅଭିଯାନ ସଂଘ

ବାଲିଆପାଳ, ୩।୩(ଡି.ଏନ.ଏ./ସ୍ବ.ପ୍ର.)-ବାଲିଆପାଳ ବ୍ଲକରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମେତ ଅନ୍ୟ ୭ଟି ସ୍ବାସ୍ଥ୍ୟକେନ୍ଦ୍ରରେ ଏବେ ୬ଜଣ ଡାକ୍ତର କାର୍ଯ୍ୟ କରୁଛନ୍ତି। ଅବଶିଷ୍ଟ ୧୪ ଡାକ୍ତରୀ ପଦବୀ ଖାଲି ପଡ଼ିଛି। ଫଳରେ ବ୍ଲକରେ ସ୍ବାସ୍ଥ୍ୟସେବା ଠପ୍‌ ହୋଇଯାଇଛି କହିଲେ ଚଳେ। ସରକାରଙ୍କ ୫ଟି ଓ ମୋ ସରକାର ଏଠାରେ ପ୍ରହସନରେ ପରିଣତ ହୋଇଛି। ପ୍ରତିଦିନ ଶହ ଶହ ରୋଗୀ ସମେତ ପ୍ରସୂତି ସ୍ବାସ୍ଥ୍ୟକେନ୍ଦ୍ରକୁୁ ଆସି ନିରାଶ ହୋଇ ଫେରିଯାଉଛନ୍ତି। ଧନୀକ ଶ୍ରେଣୀର ଲୋକମାନେ କଟକ, ଭୁବନେଶ୍ୱରର ବଡ଼ ବଡ଼ ନର୍ସିଂହୋମ୍‌କୁ ଚିକିତ୍ସା ପାଇଁ ଯାଉଥିବାବେଳେ ଗରିବ ମଧ୍ୟବିତ୍ତ ଶ୍ରେଣୀର ରୋଗୀମାନେ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି। ଡାକ୍ତର ନିଯୁକ୍ତି ପାଇଁ ସ୍ଥାନୀୟ ଅଞ୍ଚଳର ଲୋକମାନେ ବାରମ୍ବାର ବିଧାୟକ, ଏମ୍‌ପି ତଥା ସ୍ବାସ୍ଥ୍ୟବିଭାଗ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇ ଆସିଥିଲେ ମଧ୍ୟ କୌଣସି ସୁଫଳ ମିଳୁନି। ଖାଲି ଥିବା ଡାକ୍ତର ପଦବୀ ପୂରଣ ଓ ଉତ୍ତମ ସ୍ବାସ୍ଥ୍ୟସେବା ଦାବିରେ ମଙ୍ଗଳବାର ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆଗରେ ବାଲିଆପାଳ ସୂଚନା ଅଧିକାର ଅଭିଯାନ ସଂଘର ଅନୁଜ କୁମାର ମହାପାତ୍ର, କାଳିପଦା ଗଣଚେତନା ମଞ୍ଚର କୁଶଧ୍ୱଜ ଜେନା, ଗୋପୀନାଥ ଗଙ୍ଗାଇ, ଶରତ ପାତ୍ର, ପ୍ରହ୍ଲାଦ ଘଡ଼ାଇ, ଦେବେନ୍ଦ୍ର ଦାସ, ବଳରାମ ବେହେରା, କାହ୍ନୁଚରଣ ପାତ୍ର, ଅକ୍ଷୟ ଦାସ ପ୍ରମୁଖ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗଣଧାରଣାରେ ବସିଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ର ଇନଚାର୍ଜ ଡା. ଭାଗିରଥୀ ମୁର୍ମୁ ଧାରଣାକାରୀଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ଧାରଣା ଜାରି ରହିଛି।