୭ ମାସ ହେବ ଆଉ ଶୁଣାଯାଉନି ଭୁଟୁଭୁଟି ଶବ୍ଦ :ପୁରାତନ ଡଙ୍ଗାଘାଟ ଆଜି ଅଲୋଡ଼ା

ଆନନ୍ଦପୁର, ୨୨।୧୦(ସନ୍ତୋଷ ରାଉତ)-କେନ୍ଦୁଝର ଜିଲା ଆନନ୍ଦପୁର ଦେଇ ପ୍ରବାହିତ ବୈତରଣୀ ନଦୀରେ ବହୁ ପୁରାତନ ଡଙ୍ଗା ଘାଟ ଗତ ମାର୍ଚ୍ଚ ମାସରୁ ବନ୍ଦ ହୋଇଯାଇଛି। ପୂର୍ବରୁ ଘାଟ ନିଲାମ ନେଉଥିବା ବ୍ୟକ୍ତି ଏକ ଭଟୁଭୁଟି ଡଙ୍ଗା ଚଳାଉଥିଲେ। ଏବର୍ଷ ଘାଟକୁ କେହି ନିଲାମ ନ ଧରିବାରୁ ସେଠାରେ ନା ଶୁଭୁଛି ଭୁଟୁଭୁଟି ଶବ୍ଦ ନା ଯାତ୍ରୀଙ୍କ କୋଳାହଳ।
ଏହି ଘାଟଠାରୁ ପ୍ରାୟ ଦେଢ କି.ମି. ଦୂର ଆନନ୍ଦପୁର ବ୍ରିଜଛକ ନିକଟରେ ୧୯୮୫ରେ ସେତୁ ନିର୍ମିତ ହେବା ପରଠାରୁ ସ୍ଥିତି କ୍ରମେ ବଦଳି ଚାଲିଛି। ଘସିପୁରା ଏବଂ ଆନନ୍ଦପୁରବାସୀ ସଡକ ପଥରେ ଯାତାୟାତ କରୁଥିଲେ ବି ସ୍ବଳ୍ପ ଦୂରତା ଯୋଗୁ ଅନେକେ ଉକ୍ତ ଘାଟରେ ପଡିଥିବା ଭୁଟୁଭୁଟିରେ ନଦୀ ପାର ହୋଇ ଯାତାୟାତ କରୁଥିଲେ। ବର୍ତ୍ତମାନ ଉକ୍ତ ଘାଟଠାରୁ ୬୦୦ ମିଟର ଦୂରରେ ବୈତରଣୀ ବ୍ୟାରେଜ ସେତୁ ନିର୍ମାଣ ହେବା ଯୋଗୁ ଘାଟରେ ଯାତାୟାତ ଅଧିକ ପ୍ରଭାବିତ ହୋଇଛି। ପ୍ରଶାସନ ଅତୀତର ସ୍ମାରକୀ ଭାବେ ପୁରୁଣା ଘାଟର ସୁରକ୍ଷା ଲାଗି କୌଣସି ପଦକ୍ଷେପ ନେବା ପରିବର୍ତ୍ତେ କ୍ରମେ ଅଲୋଡା ହୋଇ ଯାଉଥବା ଘାଟର ନିଲାମ ମୂଲ୍ୟ ବଢାଇବା ବିସ୍ମୟର କାରଣ ହୋଇଛି। ଏହି କାରଣରୁ ଚଳିତବର୍ଷ ଘାଟକୁ କେହି ନିଲାମ ନ ଧରିବାରୁ ଏହା ୭ ମାସ ହେଲା ବନ୍ଦ ହୋଇ ପଡିଛି।
ଉଲ୍ଳେଖନୀୟ ଯେ, ବୈତରଣୀ ବାମପଟେ ଆନନ୍ଦପୁର ସହର ଏବଂ ଡାହାଣପଟେ ଘସିପୁରା ଅଞ୍ଚଳ ରହିଛି। ସ୍ଥାନୀୟ ଉପଜିଲାପାଳଙ୍କ କାର୍ଯ୍ୟାଳୟଠାରୁ ମାତ୍ର ୧୫୦ ମିଟର ଦୂରରେ ନଦୀଘାଟ ଥିବା ବେଳେ ଘସିିପୁରା ପଟେ ଯାତ୍ରୀଙ୍କ ଆଶ୍ରୟ ଲାଗି ବରଗଛ ମୂଳେ ପିଣ୍ଡି ସାଙ୍ଗକୁ ଟିକେଟ କାଉଣ୍ଟର ଘର ରହିଛି। ଉଭୟ ପାର୍ଶ୍ୱରେ ଡଙ୍ଗା ଲାଗିବା ସକାଶେ ସିମେଣ୍ଟ ନିର୍ମିତ ଘାଟ ନିର୍ମାଣ କରାଯାଇଛି। ନଦୀର ଡାହାଣପାର୍ଶ୍ୱରେ ଖପରାଖାଇ ୧ ନଂ ବସ୍‌ଷ୍ଟାଣ୍ଡ ଏବଂ ବାମପାର୍ଶ୍ୱରେ ଫକୀରମୋହନ ବସଷ୍ଟାଣ୍ଡକୁ ଏହି ଘାଟ ସିଧାସଳଖ ସଂଯୋଗ କରୁଥିବାରୁ ଏକଦା ଏହାର ଗୁରୁତ୍ୱ ରହିଥିଲା। ସମ୍ପ୍ରତି ଉକ୍ତ ଘାଟର ସ୍ଥିତିକୁ ନ ପରଖି ସ୍ଥାନୀୟ ପୌର ସଂସ୍ଥା ୨୦୧୯-୨୦ ବର୍ଷ ସକାଶେ ଏହାର ନିଲାମ ମୂଲ୍ୟ ୩ ଲକ୍ଷ ୬୮ ହଜାର ଟଙ୍କା ନିର୍ଦ୍ଧାରଣ କରିଥିଲା। ଚଢା ମୂଲ୍ୟ ଦେଇ କ୍ଷତିରେ ପଡିବା ଭୟ କରି କେହି ନିଲାମ ଡାକିବାକୁ ସାହସ କରି ନ ଥିଲେ। ଏ ସମ୍ପର୍କରେ ଆନନ୍ଦପୁର ଅଞ୍ଚଳର ବରିଷ୍ଠ ନାଗରିକ ରଘୁନାଥ ପଣ୍ଡିତ, ବୈକୁଣ୍ଠ ନାଥ ଜେନା, ସାମାଜିକକର୍ମୀ ବୁଲୁ ପଟ୍ଟନାୟକ ପ୍ରମୁଖ କହିଛନ୍ତି, ଏହି ପୁରାତନ ଘାଟକୁ ସ୍ମାରକୀ ଭାବେ ସୁରକ୍ଷିତ ରଖାଯିବା ଦରକାର। ପୌର ପରିଷଦ ନିଲାମ ମୂଲ୍ୟ ହ୍ରାସ କରି ଏହାକୁ କାର୍ଯ୍ୟକାରୀ କରିବା ଲାଗି ପଦକ୍ଷେପ ନେବା ଉଚିତ। ଏ ସମ୍ପର୍କରେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ହିତାଂଶୁ ଶେଖର ସାମଲଙ୍କୁ ପଚାରିବାରୁ କହିଛନ୍ତି, ଧାର୍ଯ୍ୟ ମୂଲ୍ୟ କିମ୍ବା ତା’ଠାରୁ ୧୦ ପ୍ରତିଶତ ଅଧିକରେ ଘାଟ ନିଲାମ କରିବା ନିୟମ ରହିଛି। ତେବେ ପରିବର୍ତ୍ତିତ ସ୍ଥିତିକୁ ପ୍ରଶାସନ ଅନୁଧ୍ୟାନ କରି ଦେଖିବ।