୭ ଡାକ୍ତରଖାନାକୁ ୬ ଡାକ୍ତର

ବାଲିଆପାଳ,୨୮।୨(ସ୍ବ.ପ୍ର.)- ବାଲେଶ୍ୱର ଜିଲା ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ବାଲିଆପାଳ ବ୍ଲକର ୩ଲକ୍ଷରୁ ଉର୍ଦ୍ଧ୍ୱ ଜନସାଧାରଣ ନିର୍ଭର କରୁଥିବାବେଳେ ପଡ଼ୋଶୀ ଜଳେଶ୍ୱର ଏବଂ ବସ୍ତା ବ୍ଲକର କେତେକ ଲୋକ ମଧ୍ୟ ଏହା ଉପରେ ନିର୍ଭର କରିଆସୁଛନ୍ତି। ବାଲିଆପାଳ ବ୍ଲକରେ ଥିବା ୭ଟି ଡାକ୍ତରଖାନାରେ ଦୁଇ ଦାନ୍ତ ଡାକ୍ତରଙ୍କୁ ମିଶାଇ ଏବେ ମୋଟ ୬ ଜଣ ଡାକ୍ତର କାର୍ଯ୍ୟ କରୁଛନ୍ତି। ଆବଶ୍ୟକ ସଂଖ୍ୟକ ଡାକ୍ତର ନ ଥିବାରୁ ଲୋକେ ନାହଁି ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜଣେ ମାତ୍ର ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞ ଦୁଇ ସିଏଚ୍‌ସି ଯଥା ବାଲିଆପାଳ ଏବଂ ପ୍ରତାପୁରରେ କାର୍ଯ୍ୟ କରୁଛନ୍ତି। ଅନ୍ୟ ପିଏଚ୍‌ସି ଘଣ୍ଟିଆ, ଶ୍ରୀରାମପୁର, ଜାମକୁଣ୍ଡା, ବୋଳଂ ଆଦିରେ ମେଡ଼ିକାଲ ଅଫିସର୍‌ କେହି ନଥିବା ସହିତ ବାଲିଆପାଳ, ପ୍ରତାପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ବିଭିନ୍ନ ପଦବୀ ଖାଲି ପଡ଼ିଥିବା ସୂଚନା ଅଧିକାର ଅଭିଯାନ ବାଲିଆପାଳ ଶାଖାର ଆବାହକ ଅନୁଜ କୁମାର ମହାପାତ୍ର ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଗୁରୁବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଏଥିସହିତ ସେ କହିଛନ୍ତି ୭ଟି ଡାକ୍ତରଖାନାରେ ଖାଲି ପଡ଼ିଥିବା ସମସ୍ତ ଡାକ୍ତର ପଦବୀ ପୂରଣ ପାଇଁ ମୁଖ୍ୟମନ୍ତ୍ରୀ, ସ୍ବାସ୍ଥ୍ୟମନ୍ତ୍ରୀ, ସ୍ବାସ୍ଥ୍ୟ ସଚିବ, ଫାଇପ୍‌-ଟି ସଚିବ, ଜିଲା ସ୍ବାସ୍ଥ୍ୟ ବିଭାଗ ମୁଖ୍ୟଅଧିକାରୀଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ ଡାକ୍ତର ନିଯୁକ୍ତିରେ କୌଣସି ପଦକ୍ଷେପ ନିଆଯାଉ ନାହିଁି। ଏନେଇ ବାଲିଆପାଳ ସୂଚନା ଅଧିକାର ଅଭିଯାନ ତରଫରୁ ଆସନ୍ତା ୩ ତାରିଖରୁ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଧାରଣା ଦିଆଯିବ। ଡାକ୍ତର ନିଯୁକ୍ତ ନ ହେବା ପର୍ଯ୍ୟନ୍ତ ବୋଲି ଧାରଣାରୁ ଓହରିବେ ନାହଁି ବୋଲି ଆବାହକ ଚେତାବନୀ ଦେଇଛନ୍ତି। ଏହି ଖବରଦାତା ସମ୍ମିଳନୀରେ ଅକ୍ଷୟ କୁମାର ଦାସ, ଅରୁଣ କୁମାର ମଣ୍ଡଳ, କୁଶଧ୍ୱଜ ଜେନା, ପ୍ରହଲ୍ଲାଦ ଘଡ଼ାଇଙ୍କ ସମେତ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।