୭ରୁ ସଂଗ୍ରହ ହେବ ଡାଲି, ତୈଳବୀଜ

ଭୁବନେଶ୍ୱର,୧।୫(ବ୍ୟୁରୋ): ଆସନ୍ତା ୭ ତାରିଖରୁ ମାର୍କଫେଡ ଚାଷୀଙ୍କଠାରୁ ଡାଲି ଓ ତୈଳବୀଜ ସଂଗ୍ରହ କରିବ। କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ଥିରୀକୃତ ସର୍ବନିମ୍ନ ସହାୟକ ମୂଲ୍ୟଜ (ଏମ୍‌ଏସ୍‌ପି)ରେ ଚାଷୀମାନଙ୍କଠାରୁ ମୁଗ, ବିରି, ଚିନାବାଦାମ ଓ ସୂର୍ଯ୍ୟମୁଖୀ ମଞ୍ଜି କ୍ରୟ କରାଯିବ। ଚଳିତ ରବିଋତୁ (୨୦୧୯-୨୦)ରେ ଧାର୍ଯ୍ୟଲକ୍ଷ୍ୟ ଅନୁଯାୟୀ ରାଜ୍ୟରେ ୧୪,୧୨୧ ମେଟ୍ରିକ ଟନ୍‌ ମୁଗ, ୫୪୨୫ ମେଟ୍ରକି ଟନ୍‌ ଚିନାବାଦାମ, ୮୭୫୦ ମେଟ୍ରିକ ଟନ୍‌ ସୂର୍ଯ୍ୟମୁଖୀ ମଞ୍ଜି ସଂଗ୍ରହ କରାଯିବ। ଏଫଏକ୍ୟୁ ମାନ ମୁଗର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୭,୦୫୦ ଟଙ୍କା, ବିରି ୫,୭୦୦, ସୂର୍ଯ୍ୟମୁଖୀ ୫,୬୫୦ ଟଙ୍କା ଏବଂ ଚିନାବାଦାମ କୁଇଣ୍ଟାଲ ପିଛା ୫,୦୯୦ ଟଙ୍କା ସ୍ଥିର କରାଯାଇଛି। ନାଫେଡ ପକ୍ଷରୁ ରାଜ୍ୟରେ ମାର୍କଫେଡ ଏବଂ ଓଡ଼ିଶାର ବିଭିନ୍ନ ପ୍ୟାକ୍ସ, ଲ୍ୟାମ୍ପସ, ନିୟନ୍ତ୍ରିତ ବଜାର କମିଟି ଜରିଆରେ ଏହାକୁ ସଂଗ୍ରହ କରାଯିବ। ଡାଲି ଓ ତୈଳବୀଜ ସଂଗ୍ରହ କାର୍ଯ୍ୟ ୭ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୫ ତାରିଖ ଯାଏ ଚାଲିବ। ଏଥିପାଇଁ ଜିଲାରେ ଆବଶ୍ୟକ ସଂଖ୍ୟକ ସଂଗ୍ରହ କେନ୍ଦ୍ର ପ୍ରସ୍ତୁତ କରି ଚାଷୀମାନଙ୍କର ନାମ ପଞ୍ଜୀକରଣ କରିବା ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ପାଇଁ ସମବାୟ ବିଭାଗ ପକ୍ଷରୁ ସମ୍ପୃକ୍ତ ସଂସ୍ଥାଗୁଡିକୁ ଅବଗତ କରାଯାଇ ମାର୍ଗଦର୍ଶିକା ଜାରି କରାଯାଇଛି। ଚାଷୀମାନଙ୍କୁ ଚିହ୍ନଟ କରି ସେମାନଙ୍କ ନାମ ପଞ୍ଜୀକରଣ ପ୍ରକ୍ରିୟା ମେ ୭ ତାରିଖ ମଧ୍ୟରେ ସାରିବାକୁ କୁହାଯାଇଛି। ଏକର ପିଛା ୩ କୁଇଣ୍ଟାଲ ମୁଗ ଓ ବିରି, ୮ କୁଇଣ୍ଟାଲ ଚିନାବାଦାମ ଏବଂ ୫ କୁଇଣ୍ଟାଲ ସୂର୍ଯ୍ୟମୁଖୀ ମଞ୍ଜି ସଂଗ୍ରହ କରିବା ପାଇଁ ନିଷ୍ପତ୍ତି ହୋଇଛି। ରାଜ୍ୟର ୧୬ଟି ଜିଲାରେ ତୈଳବୀଜ ଓ ଡାଲି ସଂଗ୍ରହ ହେବ। ସେହି ଜିଲାଗୁଡିକ ହେଲା ନୂଆପଡା, ବାଲେଶ୍ୱର, କଟକ, ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ପୁରୀ, ରାୟଗଡା, କଳାହାଣ୍ଡି, ମାଲକାନଗିରି, ବରଗଡ, ଯାଜପୁର, ଖୋର୍ଦ୍ଧା ଏବଂ କେନ୍ଦୁଝର।