୭ରୁ ଅଙ୍ଗାରବନ୍ଧ ମହିମା ଆଶ୍ରମରେ ମାଘମେଳା

ଅନୁଗୋଳ ଅଫିସ୍‌, ୨୯।୧ – ଅନୁଗୋଳର ଅଙ୍ଗାରବନ୍ଧ ମହିମା ଆଶ୍ରମରେ ମାଘ ମେଳା ଆସନ୍ତା ୭ ତାରିଖରୁ ଆରମ୍ଭ ହେବ। ଏହାର ସୁପରିଚାଳନା ପାଇଁ ମଙ୍ଗଳବାର ପୂର୍ବାହ୍ନରେ ପ୍ରଶାସନିକସ୍ତରରେ ଏକ ପ୍ରସ୍ତୁତି ବୈଠକ ଅନୁଗୋଳ ଉପଜିଲାପାଳ ବାସୁଦେବ ଶତପଥୀଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି। ୩ ଦିନ ବ୍ୟାପୀ ଚାଲିବାକୁ ଥିବା ଏହି ମେଳାର ସଫଳ ଆୟୋଜନ ପାଇଁ ବିଭିନ୍ନ ବିଭାଗୀୟ ଅଧିକାରୀ ବିଶେଷ ପଦକ୍ଷେପ ନେବାକୁ ଉପଜିଲାପାଳ ପରାମର୍ଶ ଦେଇଛନ୍ତି। ଜନ ସମାଗମକୁ ଦୃଷ୍ଟିରେ ରଖି ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଏକ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯିବ। ମେଳାରେ ପ୍ରାଥମିକ ଚିକିତ୍ସା ସହ ଏକ ଆମ୍ବୁଲାନ୍ସର ବ୍ୟବସ୍ଥା କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିପରି ପାନୀୟ ଜଳ ଯୋଗାଣ ସହ ପରିମଳ ବ୍ୟବସ୍ଥା କରିବାକୁ ଉପଜିଲାପାଳ ବିଭାଗୀୟ ଯନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। ମହିଳାମାନଙ୍କ ପାଇଁ ୨ଟି ଅସ୍ଥାୟୀ ଶୌଚାଳୟ ପ୍ରତିଷ୍ଠା କରିବା ସହ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଣ, ମହିମାଗାଦିକୁ ଯାଇଥିବା ରାସ୍ତାରେ ଖାଲଖମା ମରାମତି କରିବାକୁ ସମ୍ପୃକ୍ତ ବିଭାଗକୁ ପରାମର୍ଶ ଦିଆଯାଇଛି। ଅଙ୍ଗାରବନ୍ଧ ପଞ୍ଚାୟତ ରାସ୍ତା କାମ କରିବାକୁ ସମ୍ପୃକ୍ତ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି। ଅଗ୍ନି ନିର୍ବାପକ ସଂସ୍ଥା ସଜାଗ ରହିବା ସହ ମେଳାରେ ବିକ୍ରି ହେଉଥିବା ଖାଦ୍ୟର ଯାଞ୍ଚ କରିବାକୁ ବୈଠକରେ କୁହାଯାଇଥିଲା। ଅନୁଗୋଳ ତହସିଲଦାର ନେହେରୁ ମାଝି ରାଜସ୍ବ ନିରୀକ୍ଷକଙ୍କ ସହ ଉକ୍ତ ସ୍ଥାନକୁ ଯାଇ ମେଳା ପଡ଼ିଆକୁ ଅନୁଧ୍ୟାନ କର ଆନୁଷଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ଉପଜିଲାପାଳଙ୍କୁ ଅବଗତ କରାଇବେ। ସେହିପରି ଅନୁଗୋଳ ପୌରପାଳିକା ଦ୍ୱାରା ପଲିଥିନ ବ୍ୟବହାର ବନ୍ଦ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅନୁଗୋଳ ଉପଖଣ୍ଡ ପୋଲିସ ଅଧିକାରୀ ଅଶ୍ୱିନୀ କୁମାର ଦାସ, ଅନୁଗୋଳ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇ, ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଅମରେନ୍ଦ୍ରନାଥ ମହାନ୍ତି, ଜିଲା ପର୍ଯ୍ୟଟନ ଅଧିକାରୀ ଜଗଦୀଶ ରାୟ, ଅଙ୍ଗାରବନ୍ଧ ସରପଞ୍ଚ ବସନ୍ତ କୁମାର ମହାଳିକ, ମାଘମେଳା କମିଟିର ସଦସ୍ୟ ବିଜ୍ଞାନ ବେହେରା, ମହିମା ଆଶ୍ରମର ବାବା ଅରୂପ ଦାସ, ବିଶ୍ୱନାଥ ଦାସ, ସୁରେନ୍ଦ୍ର ଦାସଙ୍କ ସମେତ ବିଭିନ୍ନ ବିଭାଗର କର୍ମକର୍ତ୍ତାମାନେ ଯୋଗଦେଇଥିଲେ।