୭ମ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଘଟଣା: ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଜଟଣୀ,୧୪।୩(ଡି.ଏନ.ଏ): ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ୫୮ ବର୍ଷୀୟ ଜଣେ ଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଜଟଣୀ ବ୍ଲକ ଅନ୍ତର୍ଗତ ଏକ ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହା ଘଟିଛି। ଏ ନେଇ ଛାତ୍ରୀଙ୍କ ପିତା ବିଭାଗୀୟ କର୍ତ୍ତୃପକ୍ଷଙ୍କ ସମେତ ଏୟାରଫିଲ୍ଡ ଓ ମହିଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅସଦାଚରଣ କରିଥିବା ଶିକ୍ଷକ ତ୍ରିନାଥ ମଲ୍ଲିକ ଫେରାର ହୋଇଯାଇଛନ୍ତି। ଏହାକୁ ନେଇ ଗ୍ରାମରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଗୁରୁବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ଏହା ଘଟିଥିଲା। ଶ୍ରେଣୀ ଗୃହ ମଧ୍ୟରେ ଛାତ୍ରୀଙ୍କୁ ଅଭିଯୁକ୍ତ ଶିକ୍ଷକ ତ୍ରିନାଥ ଅସଦାଚରଣ କରିଥିଲେ। ଏ ନେଇ ଛାତ୍ରୀ ଜଣକ ସ୍କୁଲର ଜଣେ ଶିକ୍ଷୟିତ୍ରୀଙ୍କୁ ଜଣାଇଥିଲେ। ହେଲେ ଏହି ଘଟଣା ନେଇ ତାଙ୍କୁ କିମ୍ବା ଗ୍ରାମର କାହାକୁ ସୂଚନା ଦିଆ ନ ଯାଇ ଏହାକୁ ଚାପି ଦେବାକୁ ଉଦ୍ୟମ ହୋଇଥିବା ଛାତ୍ରୀଙ୍କ ପିତା ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଅପରାହ୍ନ ସାଢ଼େ ୪ଟାରେ ଝିଅ ଘରକୁ ଫେରିବା ପରେ ଏହି ଘଟଣା କହିବାରୁ ଜଣାପଡ଼ିଥିଲା। ଏପରି କି ଅଭିଯୁକ୍ତ ଶିକ୍ଷକଙ୍କୁ ସ୍କୁଲରୁ ଖସିଯିବାରେ ସହାୟତା କରାଯାଇଥିବା ସେ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଏହି ଘଟଣା ପ୍ରଘଟ ହେବା ପରେ ଗ୍ରାମବାସୀ ଗୁରୁବାର ସ୍କୁଲ ମୁଖ୍ୟଦ୍ୱାର ବନ୍ଦ କରି ଅନ୍ୟ ଶିକ୍ଷୟିତ୍ରୀଶିକ୍ଷକ ଓ ପ୍ରଧାନଶିକ୍ଷକଙ୍କୁ ରାତି ୧୨ଟା ପର୍ଯ୍ୟନ୍ତ ବାହାରକୁ ଛାଡ଼ି ନ ଥିଲେ। ଖବରପାଇ ଏୟାରଫିଲ୍ଡ ଥାନା ପୋଲିସ, ବ୍ଲକ ଶିକ୍ଷା ଅଧିକାରୀ ରମେଶ ଚନ୍ଦ୍ର ଖଟେଇ ଓ ଅନ୍ୟ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ ବୁଝାଶୁଝା କଲାପରେ ଗ୍ରାମବାସୀ ଗେଟ୍‌ ଖୋଲିଥିଲେ। ଶୁକ୍ରବାର ଜଟଣୀ ବିଡିଓ ବାସୁଦେବ ମାହାରୀ ସ୍କୁଲରେ ପହଞ୍ଚି ତଦନ୍ତ କରି ଫେରି ଆସିଛନ୍ତି। ଏ ନେଇ ସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରକାଶ ଚନ୍ଦ୍ର ପାତାଳସିଂହ ଏୟାରଫିଲ୍ଡ ଥାନା ସମେତ ବ୍ଲକ ଶିକ୍ଷାଧିକାରୀଙ୍କୁ ଏହି ଘଟଣା ନେଇ ଲିଖିତ ଭାବେ ଜଣାଇଛନ୍ତି। ସ୍କୁଲ ପରିଚାଳନା କମିଟି ସଭାପତି ସଞ୍ଜୀବ କୁମାର ବଳିଆରସିଂହ କୁହନ୍ତି, ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ। ଏ ନେଇ ଜିଲା ଶିକ୍ଷାଧିକାରୀ ବନ୍ଦନା ମହାପାତ୍ର କୁହନ୍ତି, ଏହାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ଆସିବା ପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯିବ ବୋଲି ସେ କହିଛନ୍ତି।