Categories: ରାଜ୍ୟ

୬ ମାସ ହେଲା ଏସ୍‌ଏଚଜି ସଦସ୍ୟାଙ୍କୁ ମିଳିନି ପ୍ରାପ୍ୟ: ଜିଲାପାଳଙ୍କ ଠାରେ ଅଭିଯୋଗ

ନୟାଗଡ଼ ଅଫିସ,୧୮।୭: ନୟାଗଡ଼ ଜିଲାରେ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚଜି)ର ମହିଳାମାନେ ବିଦ୍ୟୁତ୍‌ ବିଭାଗ ତରଫରୁ ବିଲ୍‌ ସଂଗ୍ରହ କରି ସ୍ବାବଲମ୍ବୀ ହେବା ଜିଲା ତଥା ରାଜ୍ୟ ପାଇଁ ପ୍ରଥମ ଘଟଣା ହୋଇଥିଲା। ଏ ନେଇ ବିଭିନ୍ନ ମହଲରୁ ସେମାନେ ପ୍ରଶଂସିତ ହୋଇଥିଲେ। ହେଲେ ଏହି ମହିଳା ସଦସ୍ୟାମାନେ ୬ ମାସ ହେଲାଣି ସେମାନଙ୍କର ପ୍ରାପ୍ୟ ପାଇନାହାନ୍ତି। ଜିଲାରେ ୧୨୨ଟି ଏସ୍‌ଏଚଜି ଗ୍ରୁପ୍‌ର ସଦସ୍ୟମାନେ ଏହିଭଳି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସଦସ୍ୟାମାନେ ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌ ବିଲ୍‌ ସଂଗ୍ରହ କରୁଥିଲେ ମଧ୍ୟ ସେମାନଙ୍କୁ ପାଉଣା ମିଳିନାହିଁ। ପୂର୍ବେ ସେସୁ ଅଧୀନରେ ବିଲ୍‌ ଆଦାୟ କରୁଥିବାବେଳେ ବର୍ତ୍ତମାନ ଫିଡ୍‌କୋ ଏହି ଦାୟିତ୍ୱ ନେଇଛି। ଫଳରେ ଫିଡ୍‌କୋର ମନମାନି ପଦାକୁ ଆସିଛି।
ଯେ, ମହିଳାମାନେ ଯେତେ ଟଙ୍କା ବିଦ୍ୟୁତ୍‌ ବିଲ୍‌ ବାବଦକୁ ଆଦାୟ କରନ୍ତି ତାହାର ୬ ପ୍ରତିଶତ ସେମାନଙ୍କୁ ପାଉଣା ଆକାରରେ ପ୍ରଦାନ କରାଯାଇଥାଏ। ହେଲେ ୬ ମାସ ହେଲାଣି ୧୨୨ଟି ଗ୍ରୁପ୍‌ର ସଦସ୍ୟମାନେ ପାଉଣା ପାଇନାହାନ୍ତି। ଏ ନେଇ ୮ ଦିନ ତଳେ ଫିଡ୍‌କୋରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସମାଧାନ କରାଯାଇ ନାହିଁ। ଫଳରେ ସଦସ୍ୟମାନେ ବୁଧବାର ଏ ନେଇ ଜିଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି। ଆଗାମୀ ଦିନରେ ଫିଡ୍‌କୋ ସେମାନଙ୍କର ପାଉଣା ନ ଦେଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି।
ମା’ ମଙ୍ଗଳା ଗ୍ରୁପ୍‌ର ମହିଳାମାନଙ୍କ କହିବା ଅନୁଯାୟୀ, ପ୍ରାୟ ୧୦ ବର୍ଷ ହେଲାଣି ଜିଲାରେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ବିଦ୍ୟୁତ୍‌ ବିଲ ସଂଗ୍ରହ କରି ଆସୁଛନ୍ତି। ପୂର୍ବରୁ ସେସୁ ଅଧୀନରେ ବିଲ୍‌ ଆଦାୟ କରୁଥିବା ବେଳେ ସେମାନେ କୌଣସି ହଇରାଣ ହୁଅନ୍ତି ନାହିଁ। ହେଲେ ୩ ବର୍ଷ ହେଲାଣି ଫିଡ୍‌କୋ ଅଧୀନକୁ ବିଦ୍ୟୁତ୍‌ ବିଲ୍‌ ଆସିବା ପରେ ସଦସ୍ୟମାନେ ବିଭିନ୍ନ ସମୟରେ ହଇରାଣ ହେଉଛନ୍ତି। କେବେ ୨ ମାସ ତ କେବେ ୩ ମାସ ଧରି ବିଭାଗ ସେମାନଙ୍କର ପାଉଣା ଦେଉନାହିଁ। ଏ ନେଇ ଅଭିଯୋଗ କରାଯିବା ପରେ ଦିଆଯାଉଛି। ବର୍ତ୍ତମାନ ୬ ମାସ ହେଲାଣି ସେମାନଙ୍କର ପାଉଣା ମିଳିନାହିଁ। ମହିଳାମାନେ ଜିଲାପାଳଙ୍କ ନିକଟକୁ ଅଭିଯୋଗ କରିବାକୁ ଆସିଥିବା ବେଳେ ଜିଲାପାଳ ଅନୁପସ୍ଥିତ ଥିବାରୁ ଉପଜିଲାପାଳ ଜିତେନ୍ଦ୍ର କୁମାର ସାହୁଙ୍କୁ ସଦସ୍ୟାମାନେ ସେମାନଙ୍କର ଦାବିପତ୍ର ପ୍ରଦାନ କରିଥିଲେ। ଏ ନେଇ ଫିଡ୍‌କୋ ନିର୍ବାହୀ ଯନ୍ତ୍ରୀ ଚନ୍ଦନ କୁମାର ପ୍ରଧାନଙ୍କୁ ପଚାରିବାରୁ ସେ କୁହନ୍ତି, ବୁଧବାର ସେମାନଙ୍କୁ ଗୋଟିଏ ମାସର ପ୍ରାପ୍ୟ ଦିଆଯାଇଛି, ଆଉ କିଛିଦିନ ପରେ ଆଉ ଗୋଟିଏ ମାସର ପ୍ରାପ୍ୟ ଦିଆଯିବ । ସେହିଭଳି ଫନୀ ବାତ୍ୟା ଯୋଗୁ ଏହିଭଳି ଅବ୍ୟବସ୍ଥା ହୋଇଛି। ଆଗାମୀ ଦିନରେ ସେମାନଙ୍କର ସମସ୍ତ ପ୍ରାପ୍ୟ ଦିଆଯିବ ବୋଲି ସେ ପ୍ରକାଶ କରିଥିଲେ।