୬ ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ ୩ ମାସ ବୃଦ୍ଧି

ଭୁବନେଶ୍ୱର, ୧୦।୬(ବ୍ୟୁରୋ)-ରାଜ୍ୟର ୬ କୁଳପତିଙ୍କ କାର୍ଯ୍ୟକାଳ ବଢ଼ିଛି। ଉତ୍କଳ ବିଶ୍ୱବିଦ୍ୟାଳୟ, ରମାବେଦୀ ମହିଳା ବିଶ୍ୱବିଦ୍ୟାଳୟ, ଖଲିକୋଟ ବିଶ୍ୱବିଦ୍ୟାଳୟ, ଫକୀର ମୋହନ ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଓ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳକୁ ରାଜ୍ୟପାଳ ତଥା କୁଳାଧିପତି ୩ମାସ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି। କରୋନା ସ୍ଥିତି ପାଇଁି ଏଭଳି ନିଷ୍ପତ୍ତି ନିଆଯାଇଛି। କାର୍ଯ୍ୟକାଳ ବୃଦ୍ଧି କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୁପାରିଶ କରାଯାଇଥିଲା। ତେବେ ୩ମାସ କାର୍ଯ୍ୟକାଳ ବୃଦ୍ଧି ନେଇ ରାଜଭବନ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। କୁଳପତିଙ୍କର ଯେବେ କାର୍ଯ୍ୟକାଳ ଶେଷ ହେବାର ଥିଲା ସେବେଠାରୁ ୩ମାସ ପର୍ଯ୍ୟନ୍ତ କାର୍ଯ୍ୟକାଳ ବଢ଼ିଛି ବୋଲି ବିଜ୍ଞପ୍ତିରେ ଉଳ୍ଲେଖ ରହିଛି।


ସୂଚନାଯୋଗ୍ୟ, ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କ କାର୍ଯ୍ୟକାଳ ଜୁଲାଇ ୭ତାରିଖକୁ ଶେଷ ହେବାକୁ ଥିବା ବେଳେ ରମାବେଦୀ ମହିଳା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପଦ୍ମଜା ମିଶ୍ରଙ୍କର ଜୁଲାଇ ୧୪, ବ୍ରହ୍ମପୁର ଖଲିକୋଟ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଅମରେନ୍ଦ୍ର ନାରାୟଣ ମିଶ୍ରଙ୍କର ଜୁଲାଇ ୧୩, ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ମଧୁମିତା ଦାଶଙ୍କର ଅଗଷ୍ଟ ୧, ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଅତନୁ କୁମାର ପତିଙ୍କର ଜୁଲାଇ ୨୫ ଓ ବାରିପଦା ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରଦୀପ କୁମାର ଚାନ୍ଦଙ୍କ କାର୍ଯ୍ୟକାଳ ଅଗଷ୍ଟ ୩୧ତାରିଖରେ ଶେଷ ହେବାକୁ ଥିଲା। ନୂଆ ବିଜ୍ଞପ୍ତି ଅନୁସାରେ ଏମାନେ ଆଉ ୩ମାସ କାର୍ଯ୍ୟଭାର ଦାୟିତ୍ୱ ତୂଲାଇବେ।