୬ ବର୍ଷ ପରେ ଜନ୍ମମାଟିକୁ ଫେରିଲେ ନାବାଳିକା

ଭଦ୍ରକ ଅଫିସ,୬ା୧୧- ଦୀର୍ଘ ୬ ବର୍ଷ ପରେ ନୟାଗଡ଼ରୁ ଉଦ୍ଧାର ହୋଇଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର ଜଣେ ଅସହାୟ ନାବାଳିକା ନିଜ ଜନ୍ମମାଟିକୁ ଫେରିଛନ୍ତି। ତାଙ୍କ ପରିବାର ଲୋକଙ୍କ ଖୋଜ ଖବର ମିଳୁ ନ ଥିବାରୁ ତାଙ୍କୁ ଆସିଆନା ମୁକ୍ତାଶ୍ରୟ କେନ୍ଦ୍ରରେ ରଖାଯାଇଛି। ସେ ମାଟ୍ରିକ ପଢୁଥିବାରୁ ଏଠାରେ ତାଙ୍କ ପାଠପଢ଼ା ବ୍ୟବସ୍ଥା କରାଯାଇଛି। ନାବାଳିକାଙ୍କୁ ଉଦ୍ଧାର କରିଥିବା ନୟାଗଡ଼ ଜିଲା ଶିଶୁ ମଙ୍ଗଳ କମିଟି ତତ୍ତ୍ୱାବଧାନରେ ଏକ ସ୍ବତନ୍ତ୍ର ରାଜ୍ୟସ୍ତରୀୟ ୩ ଜଣିଆ ଅନୁଧ୍ୟାନ କମିଟି ସୋମବାର ଭଦ୍ରକରେ ପହଞ୍ଚି ନାବାଳିକା ଓ ଜିଲା ଶିଶୁ ମଙ୍ଗଳ କମିଟି କର୍ମକର୍ତ୍ତାଙ୍କୁ ଭେଟି କାଉନସେଲିଂ କରି ଫେରିଯାଇଛନ୍ତି ।
ଏହି ନାବାଳିକାଙ୍କ ଘର ଭଦ୍ରକର ପୁରୁଣାବଜାର ବଡ଼ ଶଙ୍କରପୁର ଅଞ୍ଚଳରେ । ବଡ଼ଶଙ୍କରପୁର ଗାଁର ସଂଖ୍ୟାଲଘୁ ସମ୍ପ୍ରଦାୟର ଜଣେ ମହିଳା ସ୍ବାମୀ ସହ ମତାନ୍ତର କାରଣରୁ ନିଜ ଝିଅକୁ ଧରି ୬ ବର୍ଷ ପୂର୍ବେ କଟକ ବାରଙ୍ଗର ନରାଜ ଅଞ୍ଚଳକୁ ଚାଲିଯାଇଥିଲେ। ସେଠାରେ ଜଣେ ସାମାଜିକ କର୍ମୀ ଏହି ମହିଳାଙ୍କ ସହମତିରେ ନାବାଳିକାଙ୍କୁ ନେଇ ନୟାଗଡ଼ ଚାଲିଯାଇଥିଲେ। ପରବର୍ତ୍ତୀ ସମୟରେ ନାବାଳିକା ଜଣଙ୍କୁ ନିର୍ଯାତନା ଦିଆଯାଉଥିବା ଘଟଣାକୁ କେନ୍ଦ୍ରକରି ନୟାଗଡ଼ ଅଞ୍ଚଳ ଥାନାରେ ଏତଲା ଦିଆଯାଇଥିଲା। ତଦନୁଯାୟୀ ନାବାଳିକାଙ୍କୁ ଉଦ୍ଧାର କରି ନୟାଗଡ଼ ଶିଶୁ ମଙ୍ଗଳ କମିଟିରେ ହାଜର କରାଯାଇ ଭଦ୍ରକ ଜିଲା ଶିଶୁ ମଙ୍ଗଳ କମିଟିକୁ ଖବର ଦିଆଯାଇଥିଲା। ଏବେ ଭଦ୍ରକ ଶିଶୁ ମଙ୍ଗଳ କମିଟି ସହାୟତାରେ ନାବାଳିକାଙ୍କୁ ଆଣି ଭଦ୍ରକର ଆସିଆନା ମୁକ୍ତାଶ୍ରୟ କେନ୍ଦ୍ରରେ ରଖାଯାଇଛି। ତେବେ ପରିବାର ଲୋକଙ୍କ କୌଣସି ସନ୍ଧାନ ମିଳୁ ନ ଥିବାରୁ ନାବାଳିକାଙ୍କ ଭବିଷ୍ୟତକୁ ନେଇ ଚିନ୍ତା ପ୍ରକଟ କରାଯାଉଛି। ଏନେଇ ଭଦ୍ରକ ଜିଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଡ. ସୁଦର୍ଶନ ବାରିକ କହିଛନ୍ତି, ସରକାରୀ ନିୟମାନୁଯାୟୀ ନାବାଳିକାଙ୍କ ଲାଗି ଥଇଥାନ ବ୍ୟବସ୍ଥା କରାଯିବ । ଏଥିସହ ତାଙ୍କ ପାଠପଢ଼ା ବ୍ୟବସ୍ଥା କରାଯିବ। ନିଖୋଜ ନାବାଳିକା ଦୀର୍ଘ ୬ ବର୍ଷ ପରେ ନିଜ ଅଞ୍ଚଳକୁ ଫେରି ଆସିବା ଘଟଣା ନେଇ ଖୁସି ବ୍ୟକ୍ତ କରିଛନ୍ତି।