୬ ଜିଲାରେ ବଢ଼ିବ କୋଭିଡ କେୟାର ଶଯ୍ୟା

ଭୁବନେଶ୍ୱର, ୧୨।୫(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଏ ନେଇ ରାଜ୍ୟରେ ୬ଟି ଜିଲାରେ କୋଭିଡ କେୟାର ସଯ୍ୟା ବୃଦ୍ଧି ନେଇ ନିଷ୍ପତ୍ତି ନିଆଯାଇଛି। ଗଞ୍ଜାମ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ବଲାଙ୍ଗୀରରେ ଶଯ୍ୟା ସଂଖ୍ୟା ବଢ଼ିବ। ମଙ୍ଗଳବାର ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି। ଆଗାମୀ ସପ୍ତାହକ ମଧ୍ୟରେ ୬ଟି ଜିଲାରେ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।
ସେହିପରି ବିଭିନ୍ନ ଅଞ୍ଚଳରେ ନିର୍ମିତ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର ସୁପରିଚାଳନାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଏହାଛଡ଼ା କ୍ୱାରାଣ୍ଟାଇନ କେନ୍ଦ୍ରରେ ଅନ୍ତେବାସୀଙ୍କୁ କୋଭିଡ ରୋଗ ପରିଚାଳନା ତାଲିମ ଦିଆଯିବ। ସଙ୍ଗରୋଧରୁ ମୁକ୍ତି ପରେ ସେମାନେ କୋଭିଡ ସ୍ବେଚ୍ଛାସେବୀ ଭାବେ କାମ କରିପାରିବେ। ଏଥିପାଇଁ ସଂକ୍ଷିପ୍ତ ସାର୍ଟିଫିକେଟ କୋର୍ସ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ଅନ୍ୟପକ୍ଷରେ ଗ୍ରାମ୍ୟ ଅର୍ଥନୀତିକୁ ସଶକ୍ତ କରିବାକୁ ଅଧିକ ପାଣ୍ଠି ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କୃଷି ଅର୍ଥନୀତି ସୁଦୃଢ କରିବାକୁ ରାଜ୍ୟ ସରକାର ୩ଟି ଅଧ୍ୟାଦେଶ ଆଣିବେ ବୋଲି ଜଣାଯାଇଛି ।