୬ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୫।୫ (ବ୍ୟୁରୋ): ମେ ଶେଷ ହେଲା। ଖରାଦିନିଆ ଝାଞ୍ଜି ନାହିଁ କି ଦେହ ଜଳିପୋଡ଼ି ଗଲାଭଳି ତାତି ନାହିଁ। ପୂର୍ବାହ୍ନରେ ସାମାନ୍ୟ ଗରମ ହେଲେ ମଧ୍ୟ ଅପରାହ୍ନରେ ଝଡ଼ବର୍ଷା ପରିବେଶକୁ ଶୀତଳତାରେ ଭରି ଦେଉଛି। ଚଳିତ ବର୍ଷ ଏଭଳି ପାଗ ରହିିବ। ଗ୍ରୀଷ୍ମ ପ୍ରକୋପ ଆଉ ସେତେ ବଢ଼ିବ ନାହିଁ ବୋଲି ପାଣିପାଗ ବିଶେଷଜ୍ଞ ମତ ଦେଉଛନ୍ତି।
ଚଳିତ ବର୍ଷ ସ୍ବାଭାବିକ ଜଳବାୟୁରେ କିଛିମାତ୍ରାରେ ପରିବର୍ତ୍ତନ ହୋଇଛି। ମାର୍ଚ୍ଚରୁ ଜୁନ୍‌ ମଧ୍ୟରେ ରାଜ୍ୟକୁ ସାଧାରଣତଃ ଉତ୍ତର-ପୂର୍ବ ଦିଗରୁ ଉତ୍ତପ୍ତ ବାୟୁ ପ୍ରବାହ ହୋଇଥାଏ। ଏଥିଯୋଗୁ ଉତ୍ତର ଭାରତ ସମେତ ଓଡ଼ିଶାରେ ମଧ୍ୟ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଥାଏ। ତେବେ ଚଳିତ ବର୍ଷ ଭୂପୃଷ୍ଠରୁ ୧୨ କି.ମି. ଉପରେ ଉତ୍ତର-ପଶ୍ଚିମ ଦିଗରୁ ଉଷ୍ମବାୟୁ ଘଣ୍ଟାକୁ ୧୫୦ କି.ମି. ବେଗରେ ବହୁଛି। ଅନ୍ୟପକ୍ଷରେ ଭୂପୃଷ୍ଠର ୩.୧ କି.ମି. ଉପରେ ଦକ୍ଷିଣ-ପଶ୍ଚିମ ଦିଗରୁ ଜଳୀୟବାଷ୍ପ ଭରା ବାୟୁ ପ୍ରବାହିତ ହେଉଛି। ଏହାର ପ୍ରଭାବରେ ଚଳିତ ବର୍ଷ ଅଧିକମାତ୍ରାରେ କାଳବୈଶାଖୀ ବା ଝଡ଼ବର୍ଷା ହେଉଛି। ବିଶେଷକରି ରାଜ୍ୟର ଉପକୂଳ ଏବଂ ଉତ୍ତର ଓଡ଼ିଶାରେ ଲଗାତର ଝଡ଼ବର୍ଷା ହେଉଛି। ପବନର ବେଗ ୪୦ରୁ ୫୦ କି.ମି. ହେବା ସହିତ ପ୍ରବଳ ବର୍ଷା ହେଉଛି। କେତେକ ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହେଉଛି। ଏଥିଯୋଗୁ କେବଳ ଓଡ଼ିଶା ନୁହେଁ ସମଗ୍ର ଦେଶରେ ତାତି ଅନୁଭୂତ ହେଉନାହିଁ।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଯାଜପୁର, ଭଦ୍ରକ ଏବଂ ଢେଙ୍କାନାଳ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଝଡ଼ବର୍ଷା ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କି.ମି. ରହିବ। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ସୁନ୍ଦରଗଡ଼, ଦେବଗଡ଼, ଝାରୁସୁଗୁଡ଼ା, ଅନୁଗୋଳ, କଳାହାଣ୍ଡି ଏବଂ ବୌଦ୍ଧ ଜିଲା ସମେତ ରାଜ୍ୟର ଅନ୍ୟାନ୍ୟ ଭାଗରେ ମଧ୍ୟ ଝଡ଼ବର୍ଷା ହେବ। ଏହି ସବୁ ଅଞ୍ଚଳରେ ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦ କି.ମି. ରହିବ ବାଲି ଅନୁମାନ କରାଯାଇଛି। ଅନ୍ୟପକ୍ଷରେ ଝଡ଼ବର୍ଷା ଯୋଗୁ ରାଜ୍ୟର ବିିଭିନ୍ନ ଅଞ୍ଚଳରେ ତାତି ହ୍ରାସ ପାଇଛି। ମିଳିଥିବା ସୂଚନା ଅନୁଯାୟୀ ସୋମବାର ଟିଟିଲାଗଡ଼ରେ ସର୍ବୋଚ୍ଚ ତାପମାତ୍ରା ୪୨ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଥିବା ବେଳେ ତାଳଚେର ୪୧.୪ ଏବଂ ଭବାନୀପାଟଣାରେ ୪୦.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।