Categories: ଗଞ୍ଜାମ

୬ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ

ବ୍ରହ୍ମପୁର ଅଫିସ,୧୯ା୯-ଜଣେ ବ୍ୟକ୍ତିଙ୍କୁ ସଂଘବଦ୍ଧ ମରଣାନ୍ତକ ଆକ୍ରମଣ ଓ ହତ୍ୟା ଉଦ୍ୟମ କରାଯାଇଥିବା ମାମଲାର ଶୁଣାଣି କରି ବୁଧବାର ଅତିରିକ୍ତ ଜିଲା ଦୌରାଜଜ (ଏଡିଜେ-୩) ନିରଞ୍ଜନ କୁମାର ଜେନା ୬ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। କୁକୁଡଡାଖଣ୍ଡି ବ୍ଲକ ହୁଗୁଳାପଟା ପଞ୍ଚାୟତର ପୂର୍ବତନ ସରପଞ୍ଚ ସୂର୍ଯ୍ୟ ନାରାୟଣ ଗୌଡ଼, ତାଙ୍କ ୨ପୁଅ ଅଶୋକ କୁମାର ଗୌଡ଼, ଅନିଲ କୁମାର ଗୌଡ଼, ଭାଇ ମଙ୍ଗୁଳୁ ଗୌଡ଼ ଓ ୨ ପୁତୁରା କାଳିଆ ଗୌଡ଼, ଗାଣ୍ଡୁ ଗୌଡ଼ଙ୍କୁ ଜାମିନ ମିଳିଥିବା ତାଙ୍କ ଓକିଲ ସାୟାଦ ଇବବଲ ଓ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି। ହୁଗୁଳାପଟା ଗାଁର ଏକ କୋଠ ଘର ନିର୍ମାଣ କାମ ରାମଚନ୍ଦ୍ର ମହାରଣା ନେଇଥିଲେ। ଏହି ନିର୍ମାଣ କାମ ନ କରିବାକୁ ରାମଚନ୍ଦ୍ରଙ୍କୁ ସୂର୍ଯ୍ୟନାରାୟଣ କହିଥିଲେ। ରାମଚନ୍ଦ୍ର ଉକ୍ତ କାମ ଛାଡ଼ିବେନି ବୋଲି କହିବାରୁ ଗତ ୧୩ ତାରିଖ ରାତିରେ ସୂର୍ଯ୍ୟନାରାୟଣ, ତାଙ୍କ ୨ ପୁଅ, ଭାଇ ଓ ୨ ପୁତୁରା ସଂଘବଦ୍ଧ ଭାବେ ଠେଙ୍ଗାରେ ରାମଚନ୍ଦ୍ରଙ୍କୁ ଆକ୍ରମଣ କରିଥିଲେ। ଏପରିକି ସେମାନେ ତାଙ୍କ ମା’ଙ୍କୁ ମଧ୍ୟ ଆକ୍ରମଣ କରିଥିଲେ ବୋଲି ସଦର ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ଏ ନେଇ ନଂ.୨୦୨/୧୯ରେ ଏକ ମାମଲା ରୁଜୁ କରି ୬ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।