୬୯୮ ପ୍ରବାସୀଙ୍କୁ ନେଇ ଭାରତ ମୁହାଁ ଆଇଏନ୍‌ଏସ୍‌ ଜଲାଶ୍ୱ

ନୂଆଦିଲ୍ଲୀ,୯।୫: କରୋନା ସଂକ୍ରମଣ ଯୋଗୁ ପୃଥବୀରେ ଅଚଳାବସ୍ଥା ଦେଖାଦେଇଛି। ବହୁ ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। ଏପରିସ୍ଥଳେ ବିଭିନ୍ନ ଦେଶରେ ଅଟକି ରହିଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ଲାଗି ନୌସେନା ପକ୍ଷରୁ ଅପରେଶନ୍‌ ସମୁଦ୍ର ସେତୁ ଅଭିଯାନ ଆରମ୍ଭ ହୋଇଛି। ଇତିମଧ୍ୟରେ ନୌସେନାର ଜାହାଜ ଆଇଏନ୍‌ଏସ୍‌ ଜଲାଶ୍ୱ ମାଳଦ୍ୱୀପର ମାଲେ ବନ୍ଦରରୁ ୬୯୮ ଭାରତୀୟଙ୍କ ନେଇ ଭାରତ ମୁହାଁ ହୋଇଛି। ଘର ବାହୁଡୁଥିବା ଭାରତୀୟଙ୍କ ମଧ୍ୟରେ ୫୯୫ ପୁରୁଷ ଏବଂ ୧୦୩ ମହିଳା ଅଛନ୍ତି। ସେମାନଙ୍କ ମଧ୍ୟରେ ୧୯ ଗର୍ଭବତୀ ମହିଳା ରହିଛନ୍ତି। ମେ ୧୦ରେ ଆଇଏନ୍‌ଏସ୍‌ ଜଲାଶ୍ୱ କୋଚି ବନ୍ଦରରେ ପହଞ୍ଚିବାର ସମ୍ଭାବନା ରହିଛି। ଆଇଏନ୍‌ଏସ୍‌ ଜଲାଶ୍ୱ ଏବଂ ଆଇଏନ୍‌ଏସ୍‌ ମଗର ସହାୟତାରେ ପ୍ରବାସୀ ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ଲାଗି ନୌସେନା ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଏହି ଦୁଇ ଜାହାଜ କେରଳର କୋଚି ଏବଂ ତାମିଲନାଡୁର ଟୁଟିକୋରିନ୍‌ ବନ୍ଦରରୁ ୨ ଥର ଲେଖାଏଁ ମାଳଦ୍ୱୀପ ଯାତ୍ରା କରିବେ। ମାଳଦ୍ୱୀପରୁ ୪୫୦୦ ଭାରତୀୟ ସ୍ବଦେଶ ଫେରିବାକୁ ପଞ୍ଜିକରଣ କରିଛନ୍ତି। ମାଳଦ୍ୱୀପରେ ପ୍ରାୟ ୨୭ ହଜାର ଭାରତୀୟ ରହିଛନ୍ତି। ଏସମ୍ପର୍କରେ ମାଳଦ୍ୱୀପରେ ଥିବା ଭାରତୀୟ ଉଚ୍ଚାୟୁକ୍ତ ସଞ୍ଜୟ ସୁଧୀର କହିଛନ୍ତି ଯେ, ରବିବାର ଆଇଏନ୍‌ଏସ୍‌ ମଗର ୨୦୦ ଭାରତୀୟଙ୍କୁ ନେଇ ମାଲେରୁ ଟୁଟିକୋରିନ୍‌ ଅଭିମୁଖେ ଯାତ୍ରା କରିବ।

Share