୬,୮୧୭ ଜଣ ସରକାରୀ ଅଫିସରଙ୍କ ନାଁରେ ଭିଜିଲାନ୍ସ ମାମଲା: ବିଧାନସଭାରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯ା୧୧(ବ୍ୟୁରୋ): ରାଜ୍ୟ ଭିଜିଲାନ୍ସ ବିଭାଗ ୬ ହଜାର ୮୧୭ ଜଣ ସରକାରୀ ଅଫିସରଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ନେଇ ମାମଲା ରୁଜୁ କରିଛି। ୨୦୧୯ ସେପ୍ଟେମ୍ବର ସୁଦ୍ଧା ରୁଜୁ ହୋଇଥିବା ଏହି ମାମଲାରେ ୮୯୫ଜଣ ପ୍ରଥମ ଶ୍ରେଣୀ କର୍ମଚାରୀ, ୭୯୮ଜଣ ଦ୍ୱିତୀୟ ଶ୍ରେଣୀ, ୩ହଜାର ୫୩୫ଜଣ ତୃତୀୟ ଶ୍ରେଣୀ ଓ ୧୯୩ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ଅଛନ୍ତି। ଏହାସହ ସରକାରୀ ଅଫିସରେ କାର୍ଯ୍ୟକରୁଥିବା ୧୩୯୬ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ବିଧାନସଭାରେ ବିଧାୟକ ସୁଧୀର ସାମଲଙ୍କ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉତ୍ତର ରଖିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସୂଚନାନୁସାରେ, ଏହିସବୁ ମାମଲା କୋର୍ଟରେ ବିଚାରାଧୀନ ରହିଛି। କିପରି ଏହି ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ବିରୋଧରେ ସଜା ହେବ ସେନେଇ ମଧ୍ୟ ସରକାର ପ୍ରସିକ୍ୟୁଶନ ଲିଆସନିଂ ଅଫିସରଙ୍କୁ ନିଯୁକ୍ତି ଦେଇଛନ୍ତି। ଏହିସବୁ ମାମଲାର ବିଚାର ଶୀଘ୍ର ସାରିବା ପାଇଁ ବିଭିନ୍ନ ଭିଜିଲାନ୍ସ ଡିଭିଜନ୍‌ର ଏସ୍‌ପି ପ୍ରତି ମାସରେ ସ୍ପେଶାଲ ଭିଜିଲାନ୍ସ କୋର୍ଟକୁ ଯାଇ ଯୋଗାଯୋଗ କରିବା ସହ ମିଟିଂ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।