୬୨ ଛାତ୍ରୀଛାତ୍ର ଉଦ୍ଧାର

କାମାକ୍ଷାନଗର, ୧୨।୭(ଡି.ଏନ.ଏ.)-କଙ୍କଡ଼ାହାଡ଼ ବ୍ଲକ ଗଡ଼ପଳାଶୁଣୀ ପଞ୍ଚାୟତ ଇରିଙ୍ଗାଝରଣରେ ବେଆଇନ ଭାବେ ଚାଲିଥିବା ଶ୍ରୀ ଲକ୍ଷ୍ମୀନାରାୟଣ ଆଶ୍ରମ ବିଦ୍ୟାଳୟର ୩ୟ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ପରେ ସ୍କୁଲର କଳା କାରନାମା ଉପରୁ ଧୀରେ ଧୀରେ ପରଦା ହଟିବାରେ ଲାଗିଛି। ଜିଲା ଶିଶୁ ସୁରକ୍ଷା କମିଟି (ସିଡବ୍ଲ୍ୟୁସି), ଜିଲା ଶିକ୍ଷା ବିଭାଗ ପକ୍ଷରୁ ତନାଘନା ପରେ ସ୍କୁଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ବିଭିନ୍ନ ଜିଲାରୁ ଆସି ଏଠାରେ ପଢୁଥିବା ୬୨ଜଣ ଛାତ୍ରୀଛାତ୍ରଙ୍କୁ ପ୍ରଶାସନ ଉଦ୍ଧାର କରି ସିଡବ୍ଲ୍ୟୁସିକୁ ହସ୍ତାନ୍ତର କରିଛି। ସେମାନଙ୍କ ମଧ୍ୟରେ ୧୭ ଛାତ୍ରୀ, ୪୫ ଜଣ ଛାତ୍ର ଅଛନ୍ତି। ସମସ୍ତେ ପ୍ରଥମରୁ ସପ୍ତମ ଶ୍ରେଣୀରେ ପଢୁଥିବା ଜଣାପଡ଼ିଛି। ଉଦ୍ଧାର ଛାତ୍ରୀଛାତ୍ରଙ୍କୁ ଗୋବିନ୍ଦପୁରସ୍ଥିତ ମହର୍ଷି ଦୟାନନ୍ଦ ସର୍ଭିସ ମିଶନ ଶିଶୁଗୃହରେ ରଖାଯିବ। ପରେ ସେମାନଙ୍କୁ ବିଭିନ୍ନ ସରକାରୀ ଛାତ୍ରାବାସରେ ଥଇଥାନ କରାଯିବ ବୋଲି ବ୍ଲକ ଶିକ୍ଷାଧିକାରୀ ହରିହର ଦେହୁରୀ ସୂଚନା ଦେଇଛନ୍ତି।
ଗୁରୁବାର ଉପଜିଲାପାଳ ବିଷ୍ଣୁପ୍ରସାଦ ଆଚାର୍ଯ୍ୟଙ୍କ ତତ୍ତ୍ୱାବଧାନରେ ବ୍ଲକ ଶିକ୍ଷା ବିଭାଗ, ବ୍ଲକ ପ୍ରଶାସନ, ଜିଲା ଶିଶୁ ସୁରକ୍ଷା ବିଭାଗ, ଚାଇଲ୍ଡ ହେଲ୍ପ ଲାଇନ କର୍ମକର୍ତ୍ତା, ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ଅନ୍ତେବାସୀଙ୍କୁ ଉଦ୍ଧାର କରାଯାଇଥିଲା। ସେମାନଙ୍କୁ ଏକ ସ୍ବତନ୍ତ୍ର ବସ୍‌ରେ ଗୋବିନ୍ଦପୁରସ୍ଥିତ ଶିଶୁଗୃହକୁ ଅଣାଯାଇଛି। ଏ ନେଇ ବିଇଓ ହରିହର ଦେହୁରୀ କୁହନ୍ତି, ଛାତ୍ରୀଛାତ୍ରମାନେ ସ୍କୁଲ ଛାଡ଼ିବା ବେଳକୁ ଭାବବିହ୍ବଳ ହୋଇଯାଇଥିଲେ। କନ୍ଦାକଟା କରିଥିଲେ। ସମସ୍ତଙ୍କୁ ବୁଝାଶୁଝା କରାଯାଇଛି। ସେମାନଙ୍କ ପାଠପଢ଼ା, ସ୍ବାସ୍ଥ୍ୟାବସ୍ଥା ବୁଝିବା, ଉତ୍ତମ ପରିବେଶରେ ରଖିବା ପ୍ରଶାସନର ପ୍ରଥମ କର୍ତ୍ତବ୍ୟ ହେବ। ଖୁବ୍‌ଶୀଘ୍ର ସରକାରଙ୍କ ଦ୍ବାରା ପରିଚାଳିତ ଆଶ୍ରମ ବିଦ୍ୟାଳୟରେ ସେମାନଙ୍କ ନାମଲେଖା ବ୍ୟବସ୍ଥା କରାଯିବ।