୬୧ରୁ ୬୦ ନମୁନା ନେଗେଟିଭ

ଭୁବନେଶ୍ୱର,୧୯।୩(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମିତଙ୍କ ଚିହ୍ନଟ ପାଇଁ ପଠାଯାଇଥିବା ୬୧ଟି ନମୁନାରୁ ୬୦ଟି ନେଗେଟିଭ୍‌ ବାହାରିଛି। ବୁଧବାର ୫ଟି ସାମ୍ପୁଲ୍‌କୁ ପରୀକ୍ଷା ପାଇଁ ପଠାଯାଇଥିଲା। ସବୁଗୁଡ଼ିକ ନେଗେଟିଭ୍‌ ଆସିଥିବା ଗୀତଗୋବିନ୍ଦ ସଦନରେ ଗୁରୁବାର ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି।

ବାଗ୍‌ଚୀ କହିଛନ୍ତି, ଏଯାବତ୍‌ ୨୩ଜଣଙ୍କୁ ବିଭିନ୍ନ ଡାକ୍ତରଖାନାରେ ଅବ୍‌ଜରଭେଶନରେ ରଖାଯାଇଛି। ହେଲେ ସେମାନଙ୍କ ଦେହରେ କରୋନା ଭୂତାଣୁ ଥିବା ସ୍ପଷ୍ଟ ହୋଇନାହିଁ। ସେହିଭଳି ଜିଲାସ୍ତରୀୟ ହସ୍ପିଟାଲ ଆଇସୋଲେଶନ ଫାଶିଲିଟି ବଢ଼ାଯାଉଛି। ଇତିମଧ୍ୟରେ ୩୧୮୩ଟି ଆଇସୋଲେଶନ ବେଡ୍‌ ପ୍ରସ୍ତୁତ ରହିଛି। କ୍ୟାରାଣ୍ଟାଇନ୍‌ ଫାସିଲିଟି ପାଇଁ ପଞ୍ଚାୟତସ୍ତରୀୟ ବ୍ୟବସ୍ଥା କରାଯାଉଛି। କଟକ ମ୍ୟୁନିସିପାଲିଟି କର୍ପୋରେଶନ ଅଧୀନରେ ୨୧୫୦ ବେଡ୍‌, ବ୍ରହ୍ମପୁର ମ୍ୟୁନିସିପାଲିଟି ଅଧୀନରେ ୮୪୦, ଭୁବନେଶ୍ୱର ଘରୋଇ ମେଡିକାଲ କଲେଜରେ ୯୯ ବେଡ୍‌ ପ୍ରସ୍ତୁତ ରହିଛି। ସେହିଭଳି କଟକରେ ୯୪ଟି ପେଡ୍‌ କ୍ୱାରେଣ୍ଟାଇନ୍‌ ହୋଟେଲ ବ୍ୟବସ୍ଥା କରାଯାଇଛି। ଏହାଛଡ଼ା ଅର୍ବାନ୍‌ ଏରିଆରେ ୪୫୦ କୋଠାକୁ ଚିହ୍ନଟ କରାଯାଇଛି। ଯଦି କୌଣସି ବିପଦ୍‌ଜନକ ପରିସ୍ଥିତି ସୃଷ୍ଟି ହୁଏ ତେବେ ସେଥିପାଇଁ ଅଧିକ ପ୍ରସ୍ତୁତ କରି ରଖାଯାଇଥିବା ସେ କହିଛନ୍ତି।