୬୧ଅଭିଯୋଗର ଶୁଣାଣି କଲେ ଜିଲାପାଳ

ସୋନପୁର,୧।୭(ନି.ପ୍ର.): ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ବନ୍ଦ ଥିଲା। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଏହି ଜନଶୁଣାଣି ସୋମବାରଠାରୁ ପୁଣି ଆରମ୍ଭ ହୋଇଛି। ସୁବର୍ଣ୍ଣପୁର ଜିଲାପାଳଙ୍କ ପ୍ରକୋଷ୍ଠରେ ଆୟୋଜିତ ଶିବିରରେ ଜିଲାପାଳ ମଧୁସୂଦନ ମିଶ୍ର ଲୋକଙ୍କ ବିଭିନ୍ନ ଅଭିଯୋଗ ଶୁଣି ତାର ସମାଧାନ କରିଥିଲେ। ଏଥିରେ ଏସ୍‌ପି ଦେବୀ ପ୍ରସାଦ ଦାଶ, ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ପଣ୍ଡା, ସୋନପୁର ଉପଜିଲାପାଳ ବଳରାମ ମଲ୍ଳିକ, ସୋନପୁର ବିଡିଓ ରବିନ୍ଦ୍ର କୁମାର ପଟେଲ, ଜିଲା ଉପକୃଷି ନିର୍ଦ୍ଦେଶକ ସନ୍ତୋଷ କୁମାର ଜେନା, ଲିଡ୍‌ବ୍ୟାଙ୍କ ମ୍ୟାନେଜର ସରୋଜ ଦାଶ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ମିଶନର ନିର୍ବାହୀ ଯନ୍ତ୍ରୀ ଇଂ.ବିପିନ ବିହାରୀ ଦାଶ ଉପସ୍ଥିତ ଥିଲେ। ସୋମବାର ମୋଟ ୬୧ଟି ଅଭିଯୋଗ ଆସିଥିବା ବେଳେ ୫୫ଟି ବ୍ୟକ୍ତିଗତ ଥିଲା। ୫ଟି ଗ୍ରାମ୍ୟ ସମସ୍ୟା ଓ ଗୋଟିଏ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ପାଇଁ ଆବେଦନ ଆସିଥିଲା। ୩ଟି ସମସ୍ୟାକୁ ଅତିରିକ୍ତ ଜିଲାପାଳ ପଣ୍ଡା ତତ୍‌କ୍ଷଣାତ ସମାଧାନ କରିଥିଲେ।