Categories: ବାଣିଜ୍ୟ

୫ ଲକ୍ଷ କୋଟି ଡଲାର ଅର୍ଥନୀତି ଲକ୍ଷ୍ୟ ହାସଲ ସମ୍ଭବ:ନୀତି ଆୟୋଗ ଉପାଧ୍ୟକ୍ଷ

ନୂଆଦିଲ୍ଲୀ,୧୦-୭: ଦେଶର ଅର୍ଥନୀତି ୨୦୨୪-୨୫ ସୁଦ୍ଧା ୫ ଲକ୍ଷ କୋଟି ଡଲାରରେ ପହଞ୍ଚତ୍ପାରିବ ବୋଲି ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ଆଶାବ୍ୟକ୍ତ କରିଛନ୍ତି। ତାଙ୍କ ମତରେ ଏଥିପାଇଁ ଘରୋଇ କ୍ଷେତ୍ରକୁ ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ହେବ। ଭାରତୀୟ ବାଣିଜ୍ୟ ଏବଂ ଉଦ୍ୟୋଗ ମଣ୍ଡଳର ବାର୍ଷିକ ସାଧାରଣ ବୈଠକରେ ଯୋଗ ଦେଇ ସେ କହିଛନ୍ତି ଯେ, ସରକାର ଏକାକୀ ଦେଶର ଅର୍ଥନୀତିକୁ ୫ ଲକ୍ଷ କୋଟି ଡଲାରରେ ପହଞ୍ଚାଇପାରିବେ ନାହିଁ। ଘରୋଇ କ୍ଷେତ୍ରକୁ ଏଦିଗରେ ଆଗେଇ ଆସିବାକୁ ହେବ। ବଜେଟରେ ଏ ସମ୍ପର୍କରେ ଅନେକ ଦିଗ୍‌ଦର୍ଶନ ଦିଆଯାଇଛି। ସରକାର ଓ ଘରୋଇ କ୍ଷେତ୍ର ମିଳିମିଶି କାମ କରିବା ନେଇ ବଜେଟରେ ସ୍ପଷ୍ଟ ସଙ୍କେତ ଦିଆଯାଇଛି। ବିନିବେଶ ଲକ୍ଷ୍ୟକୁ ବୃଦ୍ଧି କରିବା, ଏନ୍‌ବିଏଫ୍‌ସିଙ୍କୁ ସମର୍ଥନ ଦିଆଯିବା ଏବଂ କର୍ପୋରେଟ ବଣ୍ଡ ଜରିଆରେ ବଜାରକୁ ଅଧିକ ଗଭୀର କରିବା ଲାଗି ଦୀର୍ଘକାଳୀନ ଯୋଜନା ପ୍ରସ୍ତୁତ କରିବା ସରକାରଙ୍କ ଲକ୍ଷ୍ୟ ରହିଛି ବୋଲି ସେ କହିଛନ୍ତି। କୁମାର କହିଛନ୍ତି ଯେ, ଭାରତ ଏକମାତ୍ର ଦେଶ ନୁହେଁ ଯେଉଁଠି ସବୁକିଛି ଗଣତାନ୍ତ୍ରିକ ପ୍ରଣାଳୀ ଭିତରେ ରହି କରାଯିବ। କୃଷି କ୍ଷେତ୍ରରେ ଢାଞ୍ଚାଗତ ପରିବର୍ତ୍ତନ ହେବା ଜରୁରୀ ବୋଲି ଦର୍ଶାଇ ସେ କହିଛନ୍ତି ଯେ, ଏହି କ୍ଷେତ୍ରକୁ ଏବେ ଆଧୁନିକ କରିବାର ଆବଶ୍ୟକତା ଦେଖାଦେଇଛି। ୫ ଲକ୍ଷ କୋଟି ଡଲାର ଅର୍ଥନୀତି ପାଇଁ ଏହା ଅତ୍ୟନ୍ତ ଜରୁରୀ ବୋଲି ସେ କହିଛନ୍ତି।

Share