Categories: ଗଞ୍ଜାମ

୫ ବାତ୍ୟା ନିରୋଧକ ଘର ସିଲ୍‌ କଲା ପ୍ରଶାସନ

ଚିକିଟି,୨୧ା୭(ଡି.ଏନ.ଏ.)-ଚିକିଟି ବ୍ଲକ୍‌ରେ କତୁରୁ ପଞ୍ଚାୟତର ଚନ୍ଦନବାଡ ଓ ସୋରଳ ପଞ୍ଚାୟତର ସୋରଳ ଗଁାରେ ଜିଲା ପ୍ରଶାସନ ଓ ବ୍ଲକ୍‌ ପ୍ରଶାସନ ମିଳିତ ଆନୁକୂଲ୍ୟରେ ଗତ ଗୁରୁବାର ପୃଥକ୍‌ ଭାବେ ଏକ ଆଲୋଚନା ସଭା ହୋଇଥିଲା। ଏଥିରେ ଅତିରିକ୍ତ ଜିଲାପାଳ ଲକ୍ଷ୍ମୀକାନ୍ତ ସେଠୀ ଯୋଗଦେଇଥିଲେ। ଚନ୍ଦନବାଡରେ ୩୪୨ଜଣ ହିତାଧିକାରୀଙ୍କ ପାଇଁ ସରକାରଙ୍କ ପକ୍ଷରୁ ନିର୍ମାଣ କରାଯାଇଥିବା ବାତ୍ୟା ନିରୋଧକ ଗୃହରେ ରହିବା ଲାଗି ସେ ପରାମର୍ଶ ଦେଇଥିଲେ। ଯେଉଁ ହିତାଧିକାରୀ ନିଜ ଗୃହରେ ପ୍ରବେଶ ନ କରିବେ, ସେମାନଙ୍କୁ ତାଲିକାରୁ ବାଦ୍‌ କରାଯିବା ସହିତ ଗୃହକୁ ସିଲ୍‌ କରାଯିବ ବୋଲି ତାଗିଦ୍‌ କରାଯାଇଥିଲା। କିନ୍ତୁ ଶନିବାର ଚନ୍ଦନବାଡ ଗଁାରେ ୩୩୭ ଜଣ ହିତାଧିକାରୀ ନିଜ ଘରେ ପ୍ରବେଶ କରିଥିଲେ। ଆଉ ୫ଜଣ ହିତାଧିକାରୀ ନ ରହିବାରୁ ସେଗୁଡିକୁ ଚିହ୍ନଟ କରି ବ୍ଲକ୍‌ ପ୍ରଶାସନ ପକ୍ଷରୁ ସିଲ୍‌ କରାଯାଇଛି। ସେହିଭଳି ଆଗାମୀ ଦିନରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତିି। ଗୃହ ସିଲ୍‌ ସମୟରେ ଚିକିଟି ବିଡିଓ ଫାଲ୍‌ଗୁନୀ ମାଝି, ତହସିଲ୍‌ଦାର ହରପ୍ରସାଦ ଭୋଇ, ଓଡିଆରପି ସହକାରୀ ଯନ୍ତ୍ରୀ ଦିଲୀପ ବେହେରା, ଗୋଷ୍ଠୀ ସଂଯୋଜକ ପ୍ରଭାତ ରଞ୍ଜନ ସାହୁଙ୍କ ସମେତ ଓଡିଆର୍‌ପି କର୍ମଚାରୀ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଉକ୍ତ ବ୍ଲକ୍‌ ଅଧୀନରେ ଥିବା ସମୁଦ୍ର ତଟବର୍ତ୍ତୀ ୧୦ ଗ୍ରାମରେ ମୋଟ ୩୧୦୬ଜଣ ହିତାଧିକାରୀଙ୍କ ପାଇଁ ବାତ୍ୟା ନିରୋଧକ ଗୃହ କରାଯାଇଥିଲା।