୫ ପ୍ରତିଶତ ଲୋକ ଲକ୍‌ଡାଉନ୍‌ ନିୟମ ମାନୁନାହାନ୍ତି

ଭୁବନେଶ୍ୱର,୩।୪(ବ୍ୟୁରୋ): ଶୃଙ୍ଖଳିତ ଓ ବ୍ୟବସ୍ଥିତ ରହି ଲକ୍‌ଡାଉନ୍‌ର ଅବଶିଷ୍ଟ ସମୟକୁ ସଫଳ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଛନ୍ତି। ଲକ୍‌ଡାଉନ୍‌ର ପ୍ରଥମ ସପ୍ତାହରେ ହୋଇଥିବା ଭୁଲ୍‌ର ପୁନରାବୃତ୍ତି ନ କରି ଆସନ୍ତା ୨ ସପ୍ତାହ ପର୍ଯ୍ୟନ୍ତ ଘରେ ରହି ଲକ୍‌ଡାଉନ୍‌କୁ ଶତପ୍ରତିଶତ ସଫଳ କରିବାକୁ ସେ ନିବେଦନ କରିଛନ୍ତି। ଏକ ଭିଡିଓ ବାର୍ତ୍ତା ଜରିଆରେ ଧର୍ମେନ୍ଦ୍ର କହିଛନ୍ତି ଯେ, ମାର୍ଚ୍ଚ ୨୫ରୁ ଆରମ୍ଭ ହୋଇଥିବା ଲକ୍‌ଡାଉନକୁ ପାଖାପାଖି ଏକସପ୍ତାହ ପୂରିଥିବା ବେଳେ ଏହା ଦ୍ୱିତୀୟ ସପ୍ତାହକୁ ପ୍ରବେଶ କରିଛି। ଦେଶର ସମସ୍ତ ନାଗରିକ, ସବୁ ରାଜ୍ୟ ସରକାର ତଥା ଜିଲା ପ୍ରଶାସନ ସବୁ ପ୍ରକାର ଭେଦଭାବକୁ ଭୁଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ଲକ୍‌ଡାଉନ୍‌ ଆହ୍ବାନକୁ ସଫଳ କରିବାରେ ଲାଗିଛନ୍ତି। ସମସ୍ତେ କରୋନାକୁ ହରାଇବା ପାଇଁ ଏକଜୁଟ ହୋଇଛନ୍ତି। ସମସ୍ତେ ଭେଦଭାବକୁ ଭୁଲି କରୋନା ବିରୋଧରେ ଏକାଠି ହେବା ଭଳି ଦେଶରେ ଗୋଟିଏ ବଡ଼ ଜନ ଆନ୍ଦୋଳନ ତିଆରି ହୋଇଛି, ହେଲେ କିଛି ଛୋଟ ବିସଙ୍ଗତି ବା ଅବ୍ୟବସ୍ଥା ଦୃଷ୍ଟିକୁ ଆସିଛି। ସାରା ଦେଶ ଲକ୍‌ଡାଉନ୍‌ ସତ୍ତ୍ୱେ କିଛି ଜାଗାରେ ଲୋକମାନେ ଘରୁ ବାହାରକୁ ବାହାରୁଛନ୍ତି। ଦେଶର ପ୍ରାୟ ୯୦ରୁ ୯୫ ପ୍ରତିଶତ ଲୋକ ଏହାକୁ ଶୃଙ୍ଖଳିତ ଭାବେ ପାଳନ କରୁଥିବାବେଳେ ୫ ପ୍ରତିଶତ ଲୋକ ଏହାର ବ୍ୟତିକ୍ରମ କରିବାକୁ ଚେଷ୍ଟା କରୁଛନ୍ତି। ଲକ୍‌ଡାଉନକୁ ଶୃଙ୍ଖଳିତଭାବେ ପାଳନ କରୁ ନ ଥିବା ଲୋକଙ୍କୁ ବୁଝାଇ ଶତପ୍ରତିଶତ ସଫଳ କରିବାକୁ ପଡିବ। ଆମେରିକା, ଇଟାଲୀ, ଚାଇନା ସମେତ ଅନେକ ଧନୀ ରାଷ୍ଟ୍ର କରୋନା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମାତ୍ର ବିଶ୍ୱର କିଛି ଛୋଟ ଦେଶ ଲକ୍‌ଡାଉନକୁ ସୀମିତ ରଖି ସଙ୍କଟକୁ ବାନ୍ଧି ରଖିବାରେ ସଫଳ ହୋଇଛନ୍ତି। ବର୍ତ୍ତମାନ ଅଜାଣତରେ ଛୋଟ ଭୁଲ୍‌ ହେଲେ ଏହାର ବଡ଼ ମୂଲ୍ୟ ଦେବାକୁ ପଡ଼ିପାରେ ବୋଲି ଧର୍ମେନ୍ଦ୍ର କହିଛନ୍ତି।