୫-ଟି ସଚିବଙ୍କ ଗସ୍ତ ପୂର୍ବରୁ ସଫା ହେଲା କ୍ୟାପିଟାଲ ହସ୍ପିଟାଲ

ଭୁବନେଶ୍ୱର, ୧୮ା୧୦(ବ୍ୟୁରୋ): ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ ହେବାପରେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ଉପରେ ଗୁରୁତ୍ୱ ବଢ଼ିଯାଇଛି। ବିଶେଷକରି ହସ୍ପିଟାଲ ଓ ଥାନାକୁ ଯାଉଥିବା ଲୋକଙ୍କୁ ଉନ୍ନତ ସେବା ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ବ୍ୟବସ୍ଥାର ଅନୁଧ୍ୟାନ ଲାଗି ଏବେ ୫-ଟି ସଚିବ ଭି.କେ. ପାଣ୍ଡିଆନ ରାଜ୍ୟର ବିଭିନ୍ନ ସରକାରୀ ହସ୍ପିଟାଲ ପରିଦର୍ଶନ କରୁଛନ୍ତି। ଯେଉଁଠି ସମସ୍ୟା ଦେଖୁଛନ୍ତି ତୁରନ୍ତ ତାହାକୁ ସମାଧାନ କରିବାକୁ ନିର୍ଦ୍ଦେଶ ଦେଉଛନ୍ତି। ଅବହେଳା ଓ କର୍ତ୍ତୃପକ୍ଷଙ୍କ ବେପରୁଆ କାର୍ଯ୍ୟାଧାରା ନଜରକୁ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୦ଟା ୩୦ରେ ସଚିବ ପାଣ୍ଡିଆନ ରାଜ୍ୟର ଅନ୍ୟତମ ପ୍ରମୁଖ ସରକାରୀ ଚିକିତ୍ସାଳୟ କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଖବର ମିଳିବା ପରେ ଗୁରୁବାର ହସ୍ପିଟାଲ ହଠାତ୍‌ ଚଳଚଞ୍ଚଳ ହୋଇଉଠିଥିଲା। ହସ୍ପିଟାଲ ପରିସରକୁ ସଫା ସୁତୁରା କରାଯାଇଥିଲା। ଆହାର କେନ୍ଦ୍ର ନିକଟରେ ପଡ଼ୁଥିବା ବଳକା ଖାଦ୍ୟ ସ୍ଥାନକୁ ମାଟି ପକାଇ ପୋତାଯାଇଥିଲା। ଏହାସହ ଅନେକ ଅନାବନା ଘାସ ଓ ଅନ୍ୟ ଅଳିଆକୁ ସ୍ଥାନାନ୍ତର କରାଯାଇଥିଲା। ବର୍ଷସାରା ପଡ଼ି ରହୁଥିବା ଅଳିଆକୁ କାହିଁକି ହଠାତ୍‌ ଏପରି ତରବରିଆ ଭାବେ ସଫା କରାଗଲା ତାହା ଦେଖି ହସ୍ପିଟାଲକୁ ଆସୁଥିବା ଲୋକେ କଟାକ୍ଷ କରୁଥିବା ଦେଖିବାକୁ ମିଳିଥିଲା। ନିରାମୟ ଔଷଧ କେନ୍ଦ୍ର ସମ୍ମୁଖରେ ହଜାର ହଜାର ଲୋକ ଗରମରେ ଲାଇନ୍‌ରେ ଛିଡା ହେଉଥିଲେ। ଏବେ ସେଠାରେ ଫ୍ୟାନ୍‌ ଲଗାଇ ଦିଆଯାଇଥିଲା। କେବଳ ଏତିକି ନୁହେଁ, ହସ୍ପିଟାଲର ବିଭିନ୍ନ ବିଭାଗରେଅଚଳ ଏକାଧିକ ଏସିଓ ଫ୍ୟାନ୍‌କୁ ମଧ୍ୟ ମରାମତି କରାଯାଇଥିଲା। ସୌନ୍ଦର୍ଯ୍ୟବୃଦ୍ଧି ପାଇଁ ଫୁଲକୁଣ୍ଡକୁ ସଜାଇ ଦିଆଯାଇଥିଲା। ସେହିଭଳି ପୋଲିସ ମଧ୍ୟ ହସ୍ପିଟାଲ ପରିସର ଫାଣ୍ଡି ଭିତରକୁ ସଫାସୁତୁରା କରିଛି। ଏହାସହ ଯଦି ସଚିବ ଫାଣ୍ଡି ଭିତରକୁ ଯିବେ କିପରି ତାଙ୍କୁ ସନ୍ତୁଷ୍ଟ କରାଯିବ ତାହାର ସବୁକିଛି ବ୍ୟବସ୍ଥାକୁ ଠିକ୍‌ କରିବାକୁ ଉଦ୍ୟମ ହୋଇଛି। ହସ୍ପିଟାଲ କର୍ତ୍ତୃପକ୍ଷ, ଡାକ୍ତର, କର୍ମଚାରୀ ଓ ପୋଲିସ ସଚିବଙ୍କ ଗସ୍ତକୁ ନେଇ ଏକପ୍ରକାର ଭୟ ତଥା ଆଶଙ୍କା ଭିତରେ ରହିଥିବା ଜଣାପଡିଛି।