୫-ଟି ଉପରେ ସମୀକ୍ଷା କଲେ ସଚିବ

ଫୁଲବାଣୀ ଅଫିସ, ୧୨ା୧୦- ସରକାର ଏବେ ୫-ଟି (ଟିମ୍‌ ୱାର୍କ, ଟେକ୍ନୋଲୋଜି, ଟାଇମ୍‌ ଲିମିଟ୍‌, ଟ୍ରାନ୍ସଫର୍ମେଶନ ଓ ଟ୍ରାନ୍ସପରେନ୍ସି) ଉପରେ ଗୁରୁତ୍ୱ ଦେଉଛନ୍ତି। ଏହା କିପରି କାର୍ଯ୍ୟକାରୀ ହେଉଛି ତାହାର ତଦାରଖ ସଚିବମାନେ କରୁଛନ୍ତି। ସରକାରୀ ଯୋଜନା କିପରି ଚାଲିଛି, ଲୋକଙ୍କ ନିକଟରେ ସ୍ବାସ୍ଥ୍ୟସେବା ଠିକ୍‌ଭାବେ ପହଞ୍ଚୁଛି କି ନାହିଁ, ୫-ଟି ସମ୍ପର୍କରେ ସରକାରୀ କର୍ମଚାରୀ କେତେ ଅବଗତ ଏବଂ କିପରି କାମ କରୁଛନ୍ତି ତାହାର ଅନୁଧ୍ୟାନ ୫-ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ କରିବା ସହ ବିିଭିନ୍ନ ଜିଲା ବୁଲୁଛନ୍ତି। ଶୁକ୍ରବାର ସେ କନ୍ଧମାଳ ଜିଲା ଗସ୍ତରେ ଆସି ମେଡିକାଲ ବୁଲିବା ସହ ସମୀକ୍ଷା କରିଛନ୍ତି। ମେଡିକାଲରେ ରୋଗୀମାନଙ୍କ ସହ କଥା ହୋଇ ସେମାନଙ୍କୁ କିପରି ଚିକିତ୍ସା ସୁବିଧା ମିଳୁଛି, ମାଗଣାରେ ଔଷଧ ଦିଆଯାଉଛି କି ନାହିଁ, ଡାକ୍ତରମାନେ ଉତ୍ତମ ବ୍ୟବହାର କରୁଛନ୍ତି ନା ନାହିଁ ଆଦି ବିଷୟରେ କେତେଜଣ ରୋଗୀଙ୍କୁ ପଚାରି ବୁଝିଥିଲେ। ଏହାପରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ମେଡିକାଲରେ ଲାଗି ରହିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ମେଡିକାଲରେ ସବୁବେଳେ ଡାକ୍ତର ସମସ୍ୟା ଲାଗି ରହିଛି। ଫଳରେ ରୋଗୀମାନେ ଅସୁବିଧାର ସମ୍ମୁଖିନ୍ନ ହେଉଛନ୍ତି। ଏହା ମୁଖ୍ୟ ସମସ୍ୟା ବୋଲି ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସମୀର କୁମାର ଦାସ ଅବଗତ କରିଥିଲେ। ଏହି ଗସ୍ତରେ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ, ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ପ୍ରମୁଖ ସାମିଲ ରହି ୫-ଟି ଉପରେ ସମୀକ୍ଷା କରିଥିଲେ। ଏଥିସହ ଶିଶୁ ଓ ମାତୃ ୱାର୍ଡର ବିକାଶ, ବେଡ୍‌ ସଂଖ୍ୟା ବୃଦ୍ଧି, ମେଡିକାଲ ରୋଷେଇ ଘରର ଆଧୁନିକୀକରଣ କରିବାକୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।