‘୫-ଟି’କୁ ପୁଣି ଅପରାଜିତାଙ୍କ କଟାକ୍ଷ: ‘ଏହା ଅଭିନବ ପଦକ୍ଷେପ ନୁହେଁ, ବହୁତ ପୁରୁଣା କଥା’

ଭୁବନେଶ୍ୱର,୩୧।୧୦(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ‘୫-ଟି’ କାର୍ଯ୍ୟକ୍ରମକୁ ପୁଣି ଥରେ ସମାଲୋଚନା କରିଛନ୍ତି ଭାଜପା ଏମ୍‌ପି ଅପରାଜିତା ଷଡଙ୍ଗୀ। ଗୁରୁବାର ରେଳବାଇ ଷ୍ଟାଡିୟମରେ ଆୟୋଜିତ ‘ଏକତା ପାଇଁ ଦୌଡ଼’ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଅପରାଜିତା କଟାକ୍ଷ କରି କହିଛନ୍ତି, ଏହା ଏକ ଅଭିନବ ପଦକ୍ଷେପ ନୁହେଁ। ଏହା ବହୁତ ପୁରୁଣା କଥା। ଶାସନର ୨୦ବର୍ଷ ପରେ ଏହାକୁ କାହିଁକି ଅଣାଗଲା। ଏହି ୨୦ ବର୍ଷ ଶାସନରେ କ’ଣ ୫-ଟି ସରକାରରେ ନ ଥିଲା କି ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାଛଡ଼ା ଏହାକୁ ଅଲଗା ବିଭାଗ କରି ଜଣେ ବ୍ୟକ୍ତିଙ୍କୁ ଦାୟିତ୍ୱ ଦେବା ଠିକ୍‌ ନୁହେଁ। ଏହାଦ୍ୱାରା ଅନ୍ୟ ବିଭାଗଗୁଡ଼ିକ ଦୁର୍ବଳ ହୋଇଯିବ। ଆଇଏଏସ୍‌ ପ୍ରଶିକ୍ଷଣ ସମୟରେ ୫-ଟି ସମ୍ପର୍କରେ ପାଠ ପଢ଼ାଯାଇଥାଏ। ଏଣୁ ଏହା ସୁଶାସନ ନୁହେଁ ବରଂ ଏହା ମନ୍ତ୍ରୀ ଏବଂ ସଚିବଙ୍କ ଗାରିମା ଉପରେ ପ୍ରଶ୍ନ ବୋଲି କହିବା ସହ ରାଜ୍ୟ ସରକାରଙ୍କ ଏହି ଯୋଜନା ସୁଶାସନ ଆଣିପାରିବ ବୋଲି ସେ ଭାବୁ ନ ଥିବା କହିଛନ୍ତି।

ସୂଚନାଯୋଗ୍ୟ, ପୂର୍ବରୁ କେନ୍ଦ୍ରମନ୍ତ୍ରୀ ତଥା ଭାଜପା ବରିଷ୍ଠ ନେତା ପ୍ରତାପ ଷଡ଼ଙ୍ଗୀ ‘୫-ଟି’ ଏବଂ ମୋ ସରକାର କାର୍ଯ୍ୟକ୍ରମ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ଏହା କ୍ଷମତା ପାଇଁ ଲୋକଦେଖାଣିଆ କାର୍ଯ୍ୟକ୍ରମ। ଏହା କେବଳ ସଚିବ ଆଧାରିତ ସରକାର। ଏଥିରେ ସମନ୍ବୟ, ସ୍ବଚ୍ଛତା କିମ୍ବା କୌଣସି ‘ଟି’ ନ ଥିବା ପ୍ରତାପ କହିଥିଲେ।