୫୫ ସନ୍ଦିିଗ୍ଧଙ୍କ ସ୍ବାବ ରିପୋର୍ଟ ନେଗେଟିଭ୍‌

ପାରଳାଖେମୁଣ୍ଡି,୨୯ା୪(ସ୍ବ.ପ୍ର.): ପଡୋଶୀ ଆନ୍ଧ୍ର ପ୍ରଦେଶ ରାଜ୍ୟ ଶ୍ରୀକାକୁଲମ ଜିଲା ପୁରୁଣାପାଟଣା ଅଞ୍ଚଳରେ ଚିହ୍ନଟ ୩ କରୋନା ପଜିଟିଭ୍‌ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଗଜପତି ଜିଲାର ୫୫ ଜଣଙ୍କ ସ୍ବାବ ରିପୋର୍ଟ ନେଗେଟିଭ୍‌ ଆସିଛି। ଏ ନେଇ ବୁଧବାର ଗଜପତି ଜିଲାପାଳ ଅନୁପମ ଶାହା ଏକ ଭିଡିଓ ବାର୍ତ୍ତାରେ ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଶ୍ରୀକାକୁଲମ୍‌ ଜିଲାରେ ଆଉ ଦୁଇ ତିନୋଟି ପଜିଟିଭ୍‌ ମାମଲା ଆସିବା ସମ୍ଭାବନା ରହିଛି। ଗଜପତି ଜିଲା ଏହାର ସୀମାନ୍ତବର୍ତ୍ତୀ ଜିଲା ହୋଇଥିବାରୁ ଏଠାରେ ଲକ୍‌ଡାଉନ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସେ ଜିଲାବାସୀଙ୍କୁ ନବେଦନ କରିଛନ୍ତି। ଜିଲାର ଗାରବନ୍ଧ ଠାରୁ ଆରମ୍ଭ କରି ଗୁଣୁପୁର ପର୍ଯ୍ୟନ୍ତ ପ୍ରାୟ ୭୦ରୁ ୮୦ କିମି ଅଞ୍ଚଳରେ ଅନେକ ସ୍ଥାନ ଆନ୍ଧ୍ର ସହ ସଂଯୋଗ କରୁଛି। ତେଣୁ ଏହି ସମସ୍ତ ସ୍ଥାନରେ ନାକା ପଏଣ୍ଟ କରାଯାଇ ପୋଲିସ ପକ୍ଷରୁ କଡ଼ା ନଜର ରଖାଯାଇଛି। ସେହିପରି ସକାଳ ୬ଟାରୁ ଦିନ ୧୦ଟା ଏବଂ ଅପରାହ୍ନ ୫ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ପୂର୍ବଭଳି ଖୋଲା ରହିବ ବୋଲି ଜିଲାପାଳ ଏହି ବାର୍ତ୍ତାରେ କହିଛନ୍ତି। ସାମାଜିକ ଦୂରତାକୁ ମାନିବା, ମାସ୍କ ପିନ୍ଧିବା, ବାରମ୍ବାର ହାତ ଧୋଇବା ସହ ଘରେ ରହି ସୁରକ୍ଷିତ ରହିବା ଏବଂ ଅନ୍ୟଙ୍କୁ ସୁରକ୍ଷିତ ରଖିବାରେ ସହଯୋଗ କରିବା ପାଇଁ ସେ ଆହ୍ବାନ କରିଛନ୍ତି।