୫୨୦ ଜାତୀୟ ରାଜପଥ ଟ୍ରାଫିକ୍‌ ଜାମ୍‌ରେ ଫସିଲା ଆମ୍ବୁଲାନ୍ସ, ଯନ୍ତ୍ରଣାରେ ଛଟପଟ ହେଲେ ଗର୍ଭବତୀ

ଯୋଡ଼ା,୧।୧୦ (ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡା ସହର ଦେଇ ଯାଇଥିବା ୫୨୦ ନଂ ଜାତୀୟ ରାଜପଥର ଲହଣ୍ଡାଠାରେ ମଙ୍ଗଳବାର ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଉକ୍ତ ରାସ୍ତାରେ ପ୍ରବଳ ଟ୍ରାଫିକ୍‌ ଜାମ ହୋଇଥିବାରୁ ଏକ ଆମ୍ବୁଲାନ୍ସ ଫସିଯାଇଥିଲା। ଫଳରେ ସେଥିରେ ଥିବା ଗର୍ଭବତୀ ମହିଳା ଯନ୍ତ୍ରଣାରେ ଛଟପଟ ହେଉଥିବା ଜଣାପଡ଼ିଛି।

ସୂଚନାନୁଯାୟୀ, ବଡବିଲ ଅଞ୍ଚଳର ଜଣେ ଗର୍ଭବତୀ ମହିଳା ଓ ତାଙ୍କ ମା’ ୧୦୮ ଆମ୍ବୁଲାନ୍ସ ଯୋଗେ ବାସୁଦେବପୁର ଡାକ୍ତରଖାନାକୁ ଯାଉଥିଲେ। ଦିନ ପ୍ରାୟ ୨ଟା ସମୟରେ ଲହଣ୍ଡାଠାରେ ପ୍ରବଳ ଟ୍ରାଫିକ ଜାମ୍‌ ରେ ଆମ୍ବୁଲାନ୍ସଟି ଫସିଯାଇଥିଲା। ଦୀର୍ଘ ପ୍ରାୟ ୧ ଘଣ୍ଟା ଧରି ସେଠାରେ ଅଟକି ରହିବା ପରେ ସ୍ଥାନୀୟ ଲୋକେ ଉକ୍ତ ଆମ୍ବୁଲାନ୍ସଟିକୁ ଟ୍ରାଫିକ ଜାମରୁ ବାହାର କରିବାକୁ ଚେଷ୍ଟା କରିଥିଲେ। ହେଲେ ଡାକ୍ତରଖାନା ଅଭିମୁଖେ ଯିବା ପାଇଁ ଅନ୍ୟ କୌଣସି ରାସ୍ତା ନ ଥିଲା। ଗର୍ଭବତୀ ମହିଳାଙ୍କ ମା’ ଏଣେ ତେଣେ ଫୋନ କରୁଥିବା ଦେଖିବାକୁ ମିଳିଥିଲା। ଅପରପକ୍ଷେ ଆମ୍ବୁଲାନ୍ସ ଭିତରେ ଗର୍ଭବତୀ ମହିଳା ଜଣଙ୍କ ଯନ୍ତ୍ରଣାରେ ଛଟପଟ ହୋଇ ଚିକତ୍ାର କରୁଥିବା ସ୍ଥାନୀୟ ଲୋକେ ଦେଖି ଟ୍ରାଫିକ ଜାମ୍‌କୁ ହଟାଇବାକୁ ଉଦ୍ୟମ କରିଥିଲେ ହେଁ ବିଫଳ ହୋଇଥିଲେ। ତେବେ ରାସ୍ତାର ଦୁଇ ପାର୍ଶ୍ୱରେ ଲମ୍ବା ଲାଇନରେ ଟ୍ରକ୍‌, ଡମ୍ପର, ଛୋଟ ବଡ ଯାନବାହାନ ଧୀରେ ଧୀରେ ଚାଲୁଥିବାର ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ଆମ୍ବୁଲାନ୍ସଟି ଅପରାହ୍ନ ସାଢେ ୩ ଟା ପର୍ଯ୍ୟନ୍ତ ଡାକ୍ତରଖାନାରେ ପହଞ୍ଚି ନ ଥିବା ବାସୁଦେବପୁର ଡାକ୍ତରଖାନାର ଡାକ୍ତର ଫକୀର ମୋହନ ନାଏକଙ୍କଠାରୁ ସୂଚନା ମିଳିଥିଲା।
ପ୍ରକାଶଯୋଗ୍ୟ, ଉକ୍ତ ରାସ୍ତାରେ ପୂର୍ବରୁ ଅନେକ ସମୟରେ ଏହି ଟ୍ରାଫିକ ଜାମ୍‌ ହେତୁ ଆମ୍ବୁଲାନ୍ସ, ସ୍କୁଲ ବସ୍‌ , ଯାତ୍ରୀବାହୀ ବସ୍‌, କମାଣ୍ଡର ଅଟୋ, ବିଭିନ୍ନ ଜରୁରୀକାଳୀନ ସେବା ଯୋଗାଉଥିବା ଗାଡିଗୁଡିକ ଫସି ରହୁଥିବାରୁ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ଏହାର ସମାଧାନ ପାଇଁ ବୈଠକ ପରେ ବୈଠକ କରାଯାଉଥିଲେ ହେଁ କିଛି ଦିନରେ ଟ୍ରାଫିକ ସମସ୍ୟାରେ ସୁଧାର ଆସିବା ପରେ ପୁଣି ଥରେ ପୂର୍ବଭଳି ସମସ୍ୟା ଦେଖିବାକୁ ମିଳୁଛି ା ଏହାର ସ୍ଥାୟୀ ସମାଧାନ ପାଇଁ ପ୍ରଶାସନ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।