୫୦ରୁ ଊର୍ଦ୍ଧ୍ୱ ବୟସ୍କ କର୍ମଚାରୀଙ୍କୁ ଏପ୍ରିଲ ୪ ପର୍ଯ୍ୟନ୍ତ ଅଫିସ ମନା

ଭୁବନେଶ୍ୱର,୨୫।୩(ବ୍ୟୁରୋ): କରୋନା ଭାଇରସ ସଂକ୍ରମଣରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ସରକାର ନୂଆ ନିର୍ଦ୍ଦେଶନାମା ଜାରି କରିବାରେ ଲାଗିଛନ୍ତି। ମଙ୍ଗଳବାର ୫୦ବର୍ଷ ଏବଂ ତା’ଠାରୁ ଅଧିକ ବୟସର ସରକାରୀ କର୍ମଚାରୀଙ୍କ ଲାଗି ନୂଆ ନିିୟମ ଘୋଷଣା କରାଯାଇଛି। ୫୦ବର୍ଷରୁ ଅଧିକ ବୟସ୍କ କର୍ମଚାରୀ ଯେଉଁମାନେ ଡାଇବେଟିସ, ଶ୍ୱାସଜନିତ ସମସ୍ୟା, କିଡ୍‌ନୀଜନିତ ରୋଗ, ହୃଦ୍‌ରୋଗ ଏବଂ ଅନ୍ୟାନ୍ୟ ଗୁରୁତର ରୋଗରେ ପୀଡିତ ସେମାନେ ଛୁଟିରେ ରହିବାକୁ କୁହାଯାଇଛି। ବିନା ଡାକ୍ତରୀ ସାର୍ଟିଫିକେଟ ଦେଖାଇ କଥାବାର୍ତ୍ତା ମାଧ୍ୟମରେ ନିଜ ସ୍ବାସ୍ଥ୍ୟ ସମସ୍ୟା ସମ୍ପର୍କରେ ଜଣାଇ ଆସନ୍ତା ଏପ୍ରିଲ ୪ ତାରିଖ ଯାଏ ଛୁଟିରେ ରହିପାରିବେ। ଅଯଥା ବୋଝ ନ ନେଇ ଅଧିକାରୀମାନଙ୍କୁ ନିଜ ସ୍ବାସ୍ଥ୍ୟର ଯତ୍ନ ନେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ରାଜ୍ୟ ସରକାରଙ୍କ ସମସ୍ତ ସ୍ବୟଂଶାସିତ କିମ୍ବା ବୈଧାନିକ ସଂସ୍ଥା, ପିଏସୟୁଏସ ଏବଂ ନିଗମରେ କାର୍ଯ୍ୟରତ ଅଧିକାରୀଙ୍କ କ୍ଷେତ୍ରରେ ଲାଗୁ କରାଯାଇଛି। କରୋନା ସଂକ୍ରମଣ ବୟସ୍କ ଲୋକମାନଙ୍କ କ୍ଷେତ୍ରରେ ଅଧିକ ବିପଦ ସୃଷ୍ଟି କରୁଛି। ସେହିପରି ବିଭିନ୍ନ ରୋଗ ସହ ଜଡିତ ରୋଗୀଙ୍କ କ୍ଷେତ୍ରରେ ସଂକ୍ରମଣ ହେଲେ ଏହା ଜୀବନ ନେଇଯିବାର ସମ୍ଭାବନା ରହିଛ। ଯେଉଁ ଅଧିକାରୀମାନେ ଅସୁସ୍ଥତା ଅନୁଭବ କରିବେ ଏବଂ କରୋନା ଭାଇରସ୍‌ ଥିବାର ଲକ୍ଷଣ ବିଷୟରେ ଅନୁଭବ କରିବେ ସେମାନେ ଛୁଟିରେ ରହିବା ସହିତ ୧୪ଦିନ ପର୍ଯ୍ୟନ୍ତ କ୍ୱାରାଣ୍ଟାଇନରେ ରହିବେ। ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଏବଂ ଜନ ଅଭିଯୋଗ ବିଭାଗ ପକ୍ଷରୁ ଏକ ଚିଠି ସମସ୍ତ ବିଭାଗର ମୁଖ୍ୟ, ଆର୍‌ଡିସି ଏବଂ ଜିଲାପାଳମାନଙ୍କୁ ଦିଆଯାଇ ଏ ସଂକ୍ରାନ୍ତରେ ସ୍ପଷ୍ଟ କରାଯାଇଛି।