୫ଶହ ଟଙ୍କା ଲାଞ୍ଚ ନେଇ କୁଡ଼େଇ ଆର୍‌ଆଇ ଗିରଫ

ସୋର, ୧୨।୨(ଡି.ଏନ.ଏ.)- ମୃତ ପ୍ରମାଣପତ୍ର ପାଇଁ ୫ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ସୋର ତହସିଲ ଅଧୀନ କୁଡ଼େଇ ଆର୍‌ଆଇ ରାକେଶ କୁମାର ପ୍ରଧାନ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ସୋର ଥାନା ଢ଼ିଙ୍କିଆପଦା ଗ୍ରାମର ହେମନ୍ତ କୁମାର ପଣ୍ଡାଙ୍କ ବାପା ହରିହର ୨୦୧୯ ଅକ୍ଟୋବର ୧୭ରେ ଚେନ୍ନାଇରେ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ବାପାଙ୍କ ମୃତ୍ୟୁ ପ୍ରମାଣପତ୍ର ପାଇବା ପାଇଁ ହେମନ୍ତ କୁଡ଼େଇ ଆର୍‌ଆଇଙ୍କ ପାଖକୁ ଯାଇଥିଲେ। ଆର୍‌ଆଇ ପ୍ରଧାନ ଏଥିପାଇଁ ଦୁଇହଜାର ଟଙ୍କା ଦାବି କରିଥିଲେ। ବାରମ୍ବାର ନିରାଶ ହେବା ପରେ ହେମନ୍ତ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ପୂର୍ବ ପ୍ରସ୍ତୁତିନୁସାରେ ହେମନ୍ତ ଆର୍‌ଆଇଙ୍କୁ ତାଙ୍କ କାର୍‌ ମଧ୍ୟରେ ୫ଶହ ଟଙ୍କା ଦେଇଥିଲେ। ସେଠାରେ ଉପସ୍ଥିତ ଭିଜିଲାନ୍ସ କର୍ମଚାରୀମାନେ ଆରଆଇ ପ୍ରଧାନଙ୍କଠାରୁ ୫ଶହ ଟଙ୍କା ଜବତ କରିବା ସହିତ ଅଧିକ ତଦନ୍ତ ପାଇଁ କାର୍‌ ସହିତ ତାଙ୍କୁ ବାଲେଶ୍ୱରକୁ ନେଇଯାଇଛନ୍ତି। ବାଲେଶ୍ୱର ଭିଜିଲାନ୍ସ ବିଭାଗର ଡିଏସ୍‌ପି ସନ୍ତୋଷ କୁମାର ସାମନ୍ତରାୟଙ୍କ ନେତୃତ୍ୱରେ ଏକ ଟିମ୍‌ ଚଢ଼ାଉ କରିଥିଲେ।