୪.୭୭ ଲକ୍ଷ ଟଙ୍କା ଜବତ, ୬ ଗିରଫ

ଯାଜପୁର ଅଫିସ/କଳିଙ୍ଗନଗର, (ଡି.ଏନ୍‌.ଏ.) ୧୩ା୨: ଯାଜପୁରରୋଡ଼ ଥାନା ଅନ୍ତର୍ଗତ ଦାନଗଦୀ ହାଟ ନିକଟରୁ ଜାଲ୍‌ ନୋଟ କାରବାର ଚଳାଇଥିବା ଏକ ଆନ୍ତଃ ରାଜ୍ୟ ର଼୍ୟାକେଟକୁ ଜିଲା ପୋଲିସ ଠାବ କରିଛି। ଏଥିରେ ୪ଲକ୍ଷ ୭୭ ହଜାର ଟଙ୍କାର ଜାଲନୋଟ ଜବତ ହୋଇଥିବାବେଳେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଦଫା ୪୮୯(ଏ,ବି,ସି,ଡି,ଇ), ୩୪ରେ ଏକ ମାମଲା (ନଂ. ୫୬/୨୦୨୦) ରୁଜୁ କରି ସେମାନଙ୍କୁ ବୁଧବାର କୋର୍ଟଚାଲାଣ କରାଯାଇଛି। ଅଭିଯୁକ୍ତମାନେ ହେଲେ ମଙ୍ଗଳପୁର ଥାନା ଅନ୍ତର୍ଗତ ଛଞ୍ଚିଣା ଗ୍ରାମର ଚନ୍ଦ୍ରମଣି ବଳ(୩୫)ଙ୍କ ସମେତ ଦାନଗଦୀ ଗ୍ରାମର ବାପିନା ସେଠୀ(୨୩), ମାନପୁର ଗ୍ରାମର ମନୋଜ ଦାସ(୩୧), ଯାଜପୁରରୋଡ ଥାନା ଧପଙ୍କି ଗ୍ରାମର ତପନ ଜେନା(୨୬), ଢେଙ୍କାନାଳ ଜିଲା ଭୁବନ ଥାନା ଅନ୍ତର୍ଗତ ଭୁବନ ଗ୍ରାମର ଅଜୟ କୁମାର ସାହୁ(୨୪) ଓ ମାୟାଧର ପାତ୍ର(୬୪)। ଜାଲ ନୋଟ ସହ ଅଭିଯୁକ୍ତଙ୍କ ନିକଟରୁ ଏକ ପ୍ରିଣ୍ଟର, ପେପର କଟର, ମୋବାଇଲ ଫୋନ, ୨ଟି ବାଇକ ଆଦି ଜବତ କରାଯାଇଛି। ଏହି ଜାଲନୋଟ କାରବାରର ଚେର ଦାନଗଦୀରୁ ଢେଙ୍କାନାଳ, ଭଦ୍ରକ, କଟକ ଓ ଭୁବନେଶ୍ୱର ପର୍ଯ୍ୟନ୍ତ ଲମ୍ବିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ସୂଚନାଯୋଗ୍ୟ ଯେ, ଜାଲ୍‌ ନୋଟ କାରବାର ସମ୍ପର୍କରେ ଦାନଗଦୀ ଫାଣ୍ଡି ଅଧିକାରୀ ଗୋବର୍ଦ୍ଧନ ନାୟକ ବିଶ୍ୱସ୍ତ ସୂତ୍ରରୁ ଖବରପାଇ ଯାଜପୁରରୋଡ ଥାନାକୁ ସୂଚିତ କରିଥିଲେ। ଏହାପରେ ଯାଜପୁରରୋଡ ଥାନାଧିକାରୀ ଅନିଲ କୁମାର ମହାନ୍ତିଙ୍କ ନେତୃତ୍ୱରେ ଏକ ଟିମ୍‌ ମଙ୍ଗଳବାର ଦାନଗଦୀ ହାଟରେ ଜାଲ୍‌ନୋଟ କାରବାର ଚଳାଇଥିବା ଚନ୍ଦ୍ରମଣି ଓ ବାପିନାଙ୍କୁ ଜାଲ୍‌ନୋଟ ସହ କାବୁ କରିଥିଲେ। ଚଢାଉ ସମୟରେ ସେମାନେ ୫୦୦ ଟଙ୍କିଆ ଜାଲନୋଟ ଦୋକାନୀଙ୍କଠାରୁ ବଦଳ କରୁଥିଲେ। ପରେ ମଙ୍ଗଳପୁରସ୍ଥିତ ଚନ୍ଦ୍ରମଣିଙ୍କ ଘରେ ପୋଲିସ ଚଢ଼ାଉ କରି ନୋଟ ଛପା ଯନ୍ତ୍ରପାତି ସହ ୩ଲକ୍ଷ ୬୦ହଜାର ଟଙ୍କାର ଜାଲ ନୋଟ ଜବତ କରିଥିଲା। ଚନ୍ଦ୍ରମଣିଙ୍କୁ ପଚରାଉଚୁରା କରି ଅନ୍ୟ ସହଯୋଗୀଙ୍କ ସମ୍ପର୍କରେ ଜଣାପଡ଼ିଥିଲା। ଏହାପରେ ପୋଲିସ ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଥିଲା। ସେମାନଙ୍କଠାରୁ ୧ଲକ୍ଷ ୧୭ ହଜାର ଜାଲ୍‌ ନୋଟ ଜବତ ହୋଇଥିଲା। ୨୦୧୭ରେ ମୁଖ୍ୟ ଅଭିଯୁକ୍ତ ଚନ୍ଦ୍ରମଣି ଜାଲନୋଟ କାରବାର ଅଭିଯୋଗରେ କାଳିଆପାଣି ଥାନା ଦ୍ୱାରା ଗିରଫ ହୋଇଥିଲେ। ଜେଲରୁ ମୁକୁଳିବା ପରେ ସେ ପୁଣି ଏହି କାରବାର ଚଳାଇଥିଲେ। ୧ଲକ୍ଷ ଜାଲ୍‌ ନୋଟ ବଦଳରେ ସେ ୨୫ ହଜାର ଟଙ୍କା ଅସଲି ନୋଟ ଆଣୁଥିଲେ ବୋଲି ବୁଧବାର ଖବରଦାତା ସମ୍ମିଳନୀରେ ଏସପି ଚରଣସିଂ ମୀନା ସୂଚନା ଦେଇଛନ୍ତି।