Categories: ଗଞ୍ଜାମ

୪ ବର୍ଷ ଧରି ପାନୀୟ ଜଳ ପ୍ରକଳ୍ପ ଅଚଳ

ଫିରିଙ୍ଗିଆ,୫ା୬- ଫିରିଙ୍ଗିଆ ବ୍ଲକ କାଶିନିପଦର ପଞ୍ଚାୟତରେ ହୋଇଥିବା ଏକ ପାନୀୟ ଜଳ ପ୍ରକଳ୍ପ ୪ ବର୍ଷ ଧରି ଅକାମୀ ହୋଇ ପଡିଛି। ଫଳରେ ପାନୀୟ ଜଳ ପାଇଁ ମାଝିପଡା ଏବଂ ତଳପଡାବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏବେ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବାରୁ ସମସ୍ୟା ଆହୁରି ଜଟିଳ ହୋଇ ପଡିଛି। ହେଲେ ଫୁଲବାଣୀ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ସପ୍ତାହେ ମଧ୍ୟରେ ଅଚଳ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରାଯାଇ ଲୋକଙ୍କୁ ପାଣି ଦିଆଯିବ ବୋଲି କହିଛନ୍ତି। ପ୍ରକାଶ ଯେ, ୨୦୧୫-୧୬ରେ ଫୁଲବାଣୀ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ଏହି ପ୍ରକଳ୍ପ ହୋଇଥିଲା। ଗ୍ରାମବାସୀଙ୍କୁ ଜଳ ଯୋଗାଣ ପାଇଁ ପାଇପ ମଧ୍ୟ ବିଛା ଯାଇଥିଲା। ହେଲେ ପ୍ରକଳ୍ପ କାର୍ଯ୍ୟକାରୀ ହେବାର ୪ରୁ ୫ ମାସ ପର୍ଯ୍ୟନ୍ତ ଗ୍ରାମବାସୀ ପାଣି ପାଇଥିଲେ। ଏହାପରେ ପ୍ରକଳ୍ପ ଅଚଳ ହୋଇପଡିଥିଲା। ଏନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ପାହାଡ ଉପରେ ଥିବା ଝରଣା ପାଣିକୁ ବନ୍ଧାଇ ପାଇପ ସାହାର୍ଯ୍ୟରେ(ଗ୍ରାଭିଟ ୱାଟର ସପ୍ଲାଇ) ଜଳ ଯୋଗାଇବା ପାଇଁ ଏଠାରେ କାର୍ଯ୍ୟ ହୋଇଥିଲା। ଆମକୁ ୫ ମାସ ପାଣି ମିଳିଲା ପରେ ଆଉ ମିଳିଲା ନାହିଁ। ମାଝିପଡାର ନେଡି ସାହି, ଗୁଣ୍ଡୁରି ସାହି, ପଦର ସାହି, ତଳପଡାର ପ୍ରାୟ ୨୦୦ ଘର ଏହା ଉପରେ ନିର୍ଭର କରୁଥିଲୁ। ପ୍ରକଳ୍ପ ଅଚଳ ଯୋଗୁ ଆମେ ନଦୀ, ଚୂଆ ଏବଂ ୨/୩ଟି ନଳକୂପ ଉପରେ ଭରସା କରି ଚଳୁଛୁ। ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନାହାନ୍ତି ବୋଲି ଗ୍ରାମର ପ୍ରଫୁଲ ଚନ୍ଦ୍ର ପ୍ରଧାନ, ରାମଚନ୍ଦ୍ର ପ୍ରଧାନ, କାଳୀ କହଁର, ରମେଶ ଚନ୍ଦ୍ର କହଁର, ରଥ ପାତ୍ର ପ୍ରମୁଖ କହିଛନ୍ତି। ଏ ନେଇ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ବୀରେନ୍ଦ୍ର କୁମାର ଦାସଙ୍କୁ ପଚାରିବାରୁ ଏହି ପ୍ରକଳ୍ପ କେତେକ କାରଣରୁ ଅଚଳ ହୋଇ ପଡିଛି। ସପ୍ତାହେ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟକ୍ଷମ କରି ଲୋକଙ୍କୁ ପାଣି ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।