୪ ନକଲି ଖବରଦାତା ଗିରଫ

କୁକୁଡ଼ାଖଣ୍ଡି,୨ା୮(ଡି.ଏନ.ଏ.)- ଆଙ୍କୁଶପୁର ସଦର ଥାନା ପୋଲିସ ଗୁରୁବାର ମଧ୍ୟାହ୍ନରେ ୪ ନକଲି ଖବରଦାତାଙ୍କୁ ଗିରଫ କରିଛି। ନଂ.୧୯୦/୧୯ରେ ମାମଲା ରୁଜୁ କରି ସନ୍ଧ୍ୟାରେ ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି। ଗିରଫମାନେ ହେଲେ ବ୍ରହ୍ମପୁର ଭବାନୀନଗର ଚତୁର୍ଥ ଗଳିର ତପନ କୁମାର ପଟ୍ଟନାୟକ (୩୦), ଲାଞ୍ଜିପଲ୍ଲୀ ଗଣେଶ ନଗରର ସୁନିଲ ପଢ଼ିଆଳି (୩୦), ପୁରୁଣା ବ୍ରହ୍ମପୁର ପନ୍ଦରା ସାହିର ଦୀପକ ବାଡ଼ତିଆ (୧୯) ଓ ଗୋଷାଣୀ ନୂଆଗାଁ ଚାଞ୍ଚଡ଼ା ପଡ଼ିଆ ସାହିର ଡି. ନାଗେଶ୍ୱର ରାଓ (୩୧)। ଏହି ୪ଜଣ ଏକ ଇଲୋକ୍ଟ୍ରୋନିକ୍ସ ମିଡିଆର ଗଞ୍ଜାମ ଜିଲା ଖବରଦାତା ବୋଲି ପରିଚୟ ଦେଇଥିବା ସୂଚନା ମିଳିଛି। ସଦର ଥାନାଧିକାରୀ ଭାବାନନ୍ଦ ପ୍ରଧାନଙ୍କ ସୂଚନା ପ୍ରକାରେ, କୁକୁଡ଼ାଖଣ୍ଡି ବ୍ଲକ ବାଲିପଡ଼ା ପଞ୍ଚାୟତରେ ଥିବା ସରସ୍ବତୀ ଶିଶୁ ମନ୍ଦିରରେ ଏହି ୪ ଜଣ ପଶି ଶିଶୁ ମନ୍ଦିରର ବିଭିନ୍ନ ଭିଡିଓ ଉତ୍ତୋଳନ କରିଥିଲେ। ଶିକ୍ଷୟିତ୍ରୀ, ଶିକ୍ଷକ ଓ କର୍ମଚାରୀମାନେ ପଚାରିବାରୁ ଖବରଦାତା ପରିଚୟ ଦେଇ ସେମାନଙ୍କୁ ଧମକାଇଥିଲେ। ସୂଚନା ପାଇ ଥାନାଧିକାରୀ ଭାବନାନନ୍ଦ ପ୍ରଧାନ ଓ ସଦର ଥାନା କର୍ମଚାରୀ ସଦଳବଳ ପହଞ୍ଚତ୍ ୪ଜଣଙ୍କୁ ଧରି ଥାନାକୁ ଆଣି ପଚରାଉଚରା କରିଥିଲେ। ସେମାନଙ୍କ ଠାରୁ ଏକ ଇଣ୍ଡିଗୋ କାର (ନଂ.ଓଆର୧୦କେ-୦୪୫୯) ଓ ବୁମ୍‌, କ୍ୟାମେରା ଜବତ ହୋଇଛି। ସରସ୍ବତୀ ଶିଶୁ ମନ୍ଦିରର ପ୍ରଧାନାଚାର୍ଯ୍ୟ ନିରଞ୍ଜନ ବିଷୋୟୀ, ସମ୍ପାଦକ ଏ. ପୂର୍ଣ୍ଣଚନ୍ଦ୍ର ସୁବୁଦ୍ଧି, ଉପଦେଷ୍ଟା ସଞ୍ଜୟ କୁମାର ପାଣିଗ୍ରାହୀ ସଦର ଥାନାରେ ପହଞ୍ଚତ୍ ଘଟଣା ସମ୍ପର୍କରେ ଥାନାଧିକାରୀ ଓ ସମସ୍ତ ଖବରଦାତାଙ୍କୁ ସୂଚନା ଦେଇଥିଲେ। ସମ୍ପୃକ୍ତ ଟିଭି ଚ୍ୟାନେଲର ଜିଲା ପ୍ରତିନିଧିଙ୍କ ତରଫରୁ ଏନେଇ ଅଭିଯୋଗ ପରେ ମାମଲା ଦାଏର କରାଯାଇଥିବା ଥାନାଧିକାରୀ ପ୍ରଧାନ କହିଛନ୍ତି।