୪ ଦିନ ହେଲା ଗାଁରେ ଜଳୁନି ଚୁଲି

ବନ୍ତ,୬।୩(ଡି.ଏନ.ଏ.)- ଭଦ୍ରକ ଜିଲା ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତର ଏକ ଗାଁରେ ଗତ ୪ ଦିନ ହେବ ଅଗ୍ନିକାଣ୍ଡ ଗୁଜବ ବ୍ୟାପିବାରୁ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଭୟରେ କେହି ନିଜ ଘରେ ଚୁଲି ଜଳାଉ ନାହାନ୍ତି। ଏପରିକି ନିଆଁ ଲାଗିବା ଗୁଜବ ଶୁଣି ଲୋକେ ଦମକଳ ଅଫିସ୍‌କୁ ଜଣାଉଛନ୍ତି। ଆଗରପଡ଼ା, ଭଣ୍ଡାରିପୋଖରୀ ଆଦି ସ୍ଥାନରୁ ଅଗ୍ନିଶମ ବାହିନୀ ଆସି ଏହା ମିଥ୍ୟା ଓ ଗୁଜବ ବୋଲି ଜାଣି ସେମାନେ ଗଁାରୁ ଫେରିଛନ୍ତି। ସୂଚନା ଅନୁଯାୟୀ, ଗତ ସୋମବାରଠାରୁ ଗୁରବାର ମଧ୍ୟରେ ଗ୍ରାମର ୪ ଜଣଙ୍କ ଘରେ ନିଅଁା ଲାଗିବା ନେଇ ଗୁଜବ ପ୍ରଚାରିତ ହୋଇଥିଲା। ଏଭଳି ଖବର ଶୁଣି ଶତାଧିକ ଲୋକ ଆସି ପହଞ୍ଚିଥିଲେ। ଏପିରିକି ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। କିନ୍ତୁ ସେଠାରେ ସେଭଳି କିଛି ଅଗ୍ନିକାଣ୍ଡ ଘଟିଥିବାର ଦେଖିବାକୁ ମିଳି ନ ଥିଲା। ଜଣେ ୨୫ ବର୍ଷୀୟା ଯୁବତୀଙ୍କ ଦେହରେ ଭୂତ ସବାର ହେବା ଫଳରେ ସେ ବିଭିନ୍ନ ସମୟରେ ଲୋକଙ୍କ ଘରେ ନିଅଁା ଲାଗୁଥିବା କଥା କହିବାରୁ ଭୟରେ ସେହି ସ୍ଥାନକୁ ଦୌଡୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ଗୁରୁବାର ସ୍ଥାନୀୟ ସରପଞ୍ଚ ରଞ୍ଜନ କୁମାର ସାହୁ ଉକ୍ତ ଗଁାରେ ପହଞ୍ଚି ସମ୍ପୃକ୍ତ ଯୁବତୀଙ୍କୁ ଆମ୍ବୁଲାନ୍ସରେ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି। ଏ ସମ୍ପର୍କରେ ଆଗରପଡ଼ା ଅଗ୍ନିଶମ ଅଧିକାରୀ ସଞ୍ଜୀବ କୁମାର ପ୍ରଧାନଙ୍କୁ ପଚାରିବାରୁ ଘଟଣାସ୍ଥଳରେ ସେଭଳି କୌଣସି ଅଗ୍ନିକାଣ୍ଡ ଘଟି ନ ଥିବା କହିଛନ୍ତି।