୪ ଆଇଏଏସ୍‌ଙ୍କୁ ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର,୧୬।୩(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣରୁ ସାଧାରଣ ଜନତାଙ୍କୁ ରକ୍ଷା କରିବା ପାଇଁ ପ୍ରଶାସନ ଯଥାସମ୍ଭବ ପଦକ୍ଷେପ ନେଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରତିଦିନ ଖବରଦାତା ସମ୍ମିଳନୀ କରାଯାଇ କରୋନାର ସ୍ଥିତି ସମ୍ପର୍କରେ ସୂଚନା ଦିଆଯାଉଛି। ଏହି କ୍ରମରେ ସରକାର ରବିବାର ୪ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ସ୍ବାସ୍ଥ୍ୟ ବିଭାଗର ସେମାନଙ୍କ ପୂର୍ବ ଦାୟିତ୍ୱ ସହ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଛନ୍ତି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମ୍‌ଓ) ପକ୍ଷରୁ ଗଣମାଧ୍ୟମକୁ ଅବଗତ କରାଯାଇଛି। ସ୍ବାସ୍ଥ୍ୟ ବିଭାଗରେ ଅଫିସର ଅନ୍‌ ସେସ୍ପିଆଲ ଡ୍ୟୁଟି(ଓଏସ୍‌ଡି) ଦାୟିତ୍ୱ ତୁଲାଇବାକୁ ଥିବା ଅଧିକାରୀମାନେ ହେଉଛନ୍ତି- ଓମ୍‌ଫେଡ୍‌ର ସିଜିଏମ୍‌ ତଥା ହକି ପ୍ରଚାର ପରିଷଦର ସିଇଓର ଅତିରିକ୍ତ ଦାୟିତ୍ୱ ତୁଲାଉଥିବା ସୋମେଶ କୁମାର ଉପାଧ୍ୟାୟ। ଅନ୍ୟମାନଙ୍କ ମଧ୍ୟରେ ଓଏମ୍‌ସିର ଇଡି ତଥା ଓଏମ୍‌ଇସିଏଲ୍‌ର ଇଡି ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଥିବା ପି. ଅନ୍ବେଷା ରେଡ୍ଡୀ, ଗ୍ରୀଡ୍‌କୋର ଇଡି ପାଟିଲ ଆଶିଷ ଈଶ୍ୱର ଏବଂ ଓକାକ୍‌ର ଓଏସ୍‌ଡି ଦାୟିତ୍ୱ ତୁଲାଉଥିବା ଦିବାକର ଟିଏସ୍‌। ଏହି ସମସ୍ତ ଅଧିକାରୀ ୨୦୧୭ ବ୍ୟାଚ୍‌ର। ଆସନ୍ତା ୩୦ ଜୁନ୍‌ ଯାଏ ଏହି ଅଧିକାରୀମାନେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ଦାୟିତ୍ୱ ତୁଲାଇବେ। ‘ଦ ଓଡ଼ିଶା କୋଭିଡ୍‌-୧୯ ରେଗୁଲେଶନ୍‌-୨୦୨୦’ ଜରିଆରେ ଏହି ଅଧିକାରୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିବା ଜଣାପଡ଼ିଛି।