୪ ଅଭିଯୁକ୍ତ ଗିରଫ: ମାରଣାସ୍ତ୍ର ଜବତ

ଯୋଡ଼ା,୧୧।୨(ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ବାମେବାରୀ ଥାନା ପୋଲିସ୍‌ ଏକ ବଡ ଧରଣର ଡକାୟତି ଯୋଜନାକୁ ପଣ୍ଡ କରି ଏଥିରେ ସମ୍ପୃକ୍ତ ଥିବା ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କଠାରୁ ଗୋଟିଏ ଟାଟା ସଫାରି ଗାଡି ଓ ବିଭିନ୍ନ ମାରଣାସ୍ତ୍ର ଜବତ ହୋଇଛି। ଅଭିଯୁକ୍ତମାନେ ହେଲେ ଯୋଡା ଅଞ୍ଚଳର ବିନ୍ଦାସ୍‌ ଖାଲକୋ, ଭରତ ଦାସ, ରୋସନ କର୍ମକାର ଓ ରଞ୍ଜିତ ଦାସ୍‌ । ଥାନା ଓଆଇସି ଅମିତାଭ୍‌ ଦାସ୍‌ଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ବନ୍ଧୁଆବେଡା ଖେଳ ପଡ଼ିଆଠାରେ ରବିବାର ବିଳମ୍ବିତ ରାତରେ ଏକ ଟାଟା ସଫାରି ଗାଡ଼ି (ନଂ. ଜେଏଚ ୦୫ ବି -୧୪୨୭)ରେ ଗିରଫ ହୋଇଥିବା ୪ ଅଭିଯୁକ୍ତ ଯାଇ ସେଠାରେ ଡକାୟତି ପାଇଁ ଯୋଜନା କରୁଥିଲେ ା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଓଆଇସି ଦାସ୍‌ଙ୍କ ନେତୃତ୍ୱରେ ଥାନା ଏସଆଇ ଜନ୍‌ ପଟ୍ଟନାୟକ ସଦଳବଳେ ସେଠାରେ ଚଢାଉ କରି ଉକ୍ତ ସେମାନଙ୍କୁ କାବୁ କରିଥିଲେ। ଗିରଫ ଅଭିଯୁକ୍ତଙ୍କ ନାମରେ ଯୋଡା, ବଡବିଲ ଓ ବଲାଣି ଥାନାରେ ୬ରୁ ୭ ଟି ବିଭିନ୍ନ ଅପରାଧିକ ମାମଲା ଥିବା ତଦନ୍ତ ବେଳେ ଜଣାପଡ଼ିଥିବା ଓଆଇସି ଦାସ କହିଛନ୍ତି। ଏନେଇ ଥାନାରେ ଏକ ମାମଲା(ନଂ. ୧୬/୨୦୨୦) ରୁଜୁ ହୋଇ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ା