Categories: ଗଞ୍ଜାମ

୪୮ ବସ୍ତା ଗୁଟ୍‌ଖା ଜବତ, ଏଜେଣ୍ଟ ଗିରଫ, ୨ ମାଲିକ ଫେରାର

ବ୍ରହ୍ମପୁର ଅଫିସ,୧୦ା୮-ବ୍ରହ୍ମପୁର ସହର ଓ ସହରତଳି ଅଞ୍ଚଳରେ ଗଢି ଉଠିଥିବା ଗୁଟ୍‌ଖା କାରଖାନାଗୁଡିକରେ ପୋଲିସ ନିୟମିତ ଚଢାଉ କରି ବହୁ କୋଟି ଟଙ୍କାର ଗୁଟ୍‌ଖା ଜବତ କରୁଛି। ତଥାପି ଏହି ବେଆଇନ କାରବାର ବନ୍ଦ ହେଉନି। ଶୁକ୍ରବାର ବୈଦ୍ୟନାଥପୁର ଥାନା ପୋଲିସ କୌଣସି ସୂତ୍ରରୁ ଖବରପାଇ ନୂଆ ବସଷ୍ଟାଣ୍ଡରେ ଥିବା ୪୮ ବସ୍ତା ଗୁଟଖା ଜବତ କରିଛି। ସେଠାରୁ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ସେ ହେଲେ ପ୍ରେମନଗର ୪ର୍ଥ ସାରଣୀର ରଞ୍ଜନ କୁମାର ଦାସ ଓ ସେ ଜଣେ ଏଜେଣ୍ଟ ବୋଲି ପୋଲିସ କହିଛି। ମାମଲା ନଂ.୧୫୫/୧୯ରେ ରଞ୍ଜନଙ୍କୁ ଶୁକ୍ରବାର କୋର୍ଟଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରୀ ସତ୍ୟ ନାରାୟଣ ପାଢୀ ସୂଚନା ଦେଇଛନ୍ତି। ଗୁଟ୍‌ଖା ସବୁ ବସ ଯୋଗେ କୋଲକତା ଚାଲାଣ ପାଇଁ ବସଷ୍ଟାଣ୍ଡରେ ରଖାଯାଇଥିବା ଜେରା ବେଳେ ଅଭିଯୁକ୍ତ ଜଣକ ସ୍ବୀକାର କରିଛନ୍ତି। ବାଉଁଶିଆପଲ୍ଲୀରେ ଥିବା କାରଖାନାରୁ ଏହି ଗୁଟ୍‌ଖା ଆସିଥିଲା ବୋଲି ପୋଲିସ ଜାଣିବା ପରେ ସେଠାରେ ମଧ୍ୟ ଚଢାଉ କରିଥିଲା। ଚଢାଉ ବେଳେ ମାଲିକ ଏବଂ ତାଙ୍କ ଭାଗୁଆଳି ଫେରାର ଥିବା ପୋଲିସ କହିଛି। ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି।