୪୫୦ ବର୍ଷର ନିଆରା ପରମ୍ପରା: ବୁଢ଼ା ଗଣେଶଙ୍କୁ ୧୫୧ ଥାଳି ଭୋଗ ସମର୍ପଣ

ଆରଡ଼ି, ୩।୯ (ଡି.ଏନ.ଏ.)- ଗଣେଶ ଚତୁର୍ଥୀରେ ପ୍ରସିଦ୍ଧ ଶୈବପୀଠ ଆରଡ଼ିର ଆଖଣ୍ଡଳମଣି ମନ୍ଦିର ବେଢ଼ାର ଦକ୍ଷିଣପାର୍ଶ୍ୱରେ ଥିବା ଶ୍ରୀ ବୁଢ଼ା ଗଣେଶଙ୍କୁ ସ୍ବତନ୍ତ୍ର ପୂଜା କରାଯାଇଛି। ଏଠାରେ ନିଆରା ପରମ୍ପରା ଅନୁଯାୟୀ ପ୍ରଭୁଙ୍କୁ ୧୫୧ ଥାଳି ଭୋଗ ସମର୍ପଣ କରାଯାଇଛି। ବିଧି ଅନୁସାରେ, ମନ୍ଦିର ଖୋଲା ହେବା ପରେ ବାବା ଆଖଣ୍ଡଳମଣିଙ୍କ ପାଖରେ ମଙ୍ଗଳ ଆଳତି ସହ ଅନ୍ୟାନ୍ୟ ସମସ୍ତ ପୂଜା ରୀତି ଅନୁଷ୍ଠିତ ହୋଇଥିଲା। ଏହାପରେ ଗଣପତିଙ୍କୁ ସ୍ନାନ କରାଯାଇ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା। ପୀଠରେ ଥିବା ସମସ୍ତ ସେବାୟତ ପରିବାର ସକାଳୁ ପ୍ରଭୁଙ୍କ ପାଖରେ ନଡ଼ିଆ ବାଡ଼େଇ ଚରଣାମୃତ ପାନ କରିଥିଲେ। ପୀଠ ଚତୁପାର୍ଶ୍ୱରେ ଥିବା ବାରପଡା ଅଞ୍ଚଳର ଶ୍ରଦ୍ଧାଳୁମାନେ ଗଜାନନଙ୍କ ପାଖରେ ନଡ଼ିଆ ବାଡ଼େଇ ପୁଷ୍ପାଞ୍ଜଳି ଦେଇ ବ୍ରତ ଭାଙ୍ଗିଥିଲେ। ଏହାପରେ ହୋମଯଜ୍ଞ ହୋଇଥିଲା। ଅପରାହ୍ନ ୪ଟା ପରେ ବୁଢା ଗଣେଶଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଇଥିଲା। ଏହି ବେଶ ଦର୍ଶନ କଲେ ସମସ୍ତ ବିଘ୍ନ ଅପସରି ଯାଏ ବୋଲି ଲୋକବିଶ୍ୱାସ ରହିଛି। ଏଣୁ ଏଠାରେ ହଜାର ହଜାର ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ସେବାୟତ ଓ ଅନ୍ୟ ଅଧିବାସୀମାନେ ପ୍ରଭୁଙ୍କୁ ଭୋଗଥାଳି ସମର୍ପଣ କରିଥିଲେ। ଭୋଗଥାଳିରେ ଖଜା, ପେଡା, ଖସାଲଡୁ, ନବାତ, ଘିଅପିଠା, ମାଲପୁଆ, କାକରା, ରସାବଳି ଏମିତି ଭଳିକି ଭଳି ମିଠା ରହିଥିଲା। ରାତିରେ ଏହି ବିଧି ସମ୍ପନ୍ନ ହୋଇଥିଲା। ଦିନତମାମ ଉପବାସ ରହିଥିବା ମହିଳା, ପୁରୁଷ, ଯୁବତୀ ଯୁବକ ଓ ଛାତ୍ରୀଛାତ୍ର ଭୋଗ ସମର୍ପଣ ପରେ ବ୍ରତ ଭଙ୍ଗ କରିଥିଲେ। ୪୫୦ ବର୍ଷ ଧରି ଏଭଳି ପରମ୍ପରା ହୋଇଆସୁଛି ବୋଲି ପୀଠର ବରିଷ୍ଠ ସେବାୟତମାନେ କହିଛନ୍ତି।