୪୨ ତୁମ୍ବର ବିନ୍ଧ, ୨୪ ଚକ କାମ ଶେଷ

ପୁରୀ ଅଫିସ, ୧୯ା୫: ଶ୍ରୀନହର ସମ୍ମୁଖ ରଥଖଳାରେ ଚାଲିଛି ତିନିରଥ ନିର୍ମାଣ। ସୋମବାର ସୁଦ୍ଧା ସମସ୍ତ ୪୨ ତୁମ୍ବର ବିନ୍ଧ କାମ ଶେଷ ହୋଇଛି। ତିନିରଥର ୨୪ଟି ଚକ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯାଇଛି। ଏଥିମଧ୍ୟରେ ନନ୍ଦିଘୋଷ ରଥର ୯ଟି, ତାଳଧ୍ୱଜ ରଥର ୮ଟି ଏବଂ ଦର୍ପଦଳନ ରଥର ୭ଟି ଚକ ରହିଛି। ସେହିପରି ତିନିରଥର ଦୁଇଟି ଲେଖାଏ ଚକର କାମ ଜାରି ରହିଛି। ପ୍ରତ୍ୟେକ ରଥ ପାଇଁ ଅଖ ହଣା କାର୍ଯ୍ୟ ଚାଲିଛି। ରୂପକାର ସେବକମାନେ ସୋମବାର ସୁଦ୍ଧା ନନ୍ଦିଘୋଷ ରଥର ୬ଟି ଗୁଜରେ ଖୋଦେଇ କାମ ସାରିଥିବାବେଳେ ଦର୍ପଦଳନ ରଥର ୫ଟି ଏବଂ ତାଳଧ୍ୱଜ ରଥର ୬ଟି ଗୁଜରେ ଖୋଦେଇ କାମ ସାରିଛନ୍ତି। ଅନ୍ୟଗୁଡ଼ିକର କାମ ଜାରି ରଖିଛନ୍ତି। ଦୋଳବେଦି ପରିସରରେ ଅସ୍ଥାୟୀ କମାରଶାଳରେ ଓଝା ସେବକମାନେ ବିଭିନ୍ନ ପ୍ରକାର ଅରକଣ୍ଟା, ବଳା, ପନ୍ଦାରୀ, ପନ୍ଦାରୀ ଚାବି ଆଦି ତିଆରି କରୁଛନ୍ତି। ଅନ୍ୟପକ୍ଷରେ ରଥଖଳାରେ କାମ ଆରମ୍ଭ ପୂର୍ବରୁ ରଥ ନିର୍ମାଣରେ ସମ୍ପୃକ୍ତ ସେବକମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଥିଲା। ସମସ୍ତେ ସୁସ୍ଥ ଥିବା ଜଣାଯାଇଛି। ସେହିପରି ରଥ ନିର୍ମାଣରେ ସମ୍ପୃକ୍ତ ସେବକମାନେ ସମସ୍ତେ ମାସ୍କ ପିନ୍ଧୁଥିବାବେଳେ ହାତକୁ ଭଲ ଭାବେ ସଫା କରୁଛନ୍ତି। ରଥଖଳାରେ ସାନିଟାଇଜରର ବ୍ୟବସ୍ଥା ମଧ୍ୟ କରାଯାଇଛି।