୪୧୪ ବର୍ଷ ବାମ୍ଫିର ପୁନରୁଦ୍ଧାର ଆରମ୍ଭ

କଟକ ଅଫିସ,୨୩।୧:କଟକ ସହର ବିଦ୍ୟାଧରପୁର ଅଞ୍ଚଳରେ ଥିବା ପ୍ରାୟ ୪୧୪ ବର୍ଷ ପୁରୁଣା ଐତିହାସିକ ବାମ୍ଫିର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ। ଏହି ବାମ୍ଫିଟିର ସନ୍ଧାନ ଗତବର୍ଷ ନଭେମ୍ବରରେ ଇନ୍‌ଟାକ ସଦସ୍ୟ ଐତିହ୍ୟ ଗବେଷକ ଦୀପକ କୁମାର ନାୟକଙ୍କ ଦ୍ୱାରା ହୋଇଥିଲା। ସଦସ୍ୟ ନାୟକଙ୍କ ନେତୃତ୍ୱରେ କଟକର ୨ ସାମାଜିକ ସଂଗଠନ ସିଲଭର ସିଟି କଟକ ପବ୍ଲିକ ଚାରିଟେବୁଲ ଟ୍ରଷ୍ଟ ଓ ରିଡିସ୍କଭର ଲଷ୍ଟ ହେରିଟେଜ ଗ୍ରୁପର ସଦସ୍ୟମାନେ ଅବହେଳିତ ହୋଇପଡିରହିଥିବା ଏହି ପୁରାତନ ବାମ୍ଫିଟିର ଆଖପାଖ ଅଞ୍ଚଳର ସଫେଇ କାର୍ଯ୍ୟ କରିଥିଲେ। ବାମ୍ଫିରେ ଥିବା ଦ୍ୱିଭାଷୀ ଶିଳାଲେଖର ପରୀକ୍ଷଣ କରି ନାୟକ ଏହି ବାମ୍ଫି ପ୍ରାୟ ୪୧୪ ବର୍ଷ ପୁରୁଣା ବୋଲି କହିଥିଲେ। ଏହା ବକ୍ସି ମହମ୍ମଦ ତାହିର ନାମକ ଜନୈକ ବ୍ୟକ୍ତିଙ୍କ ଦ୍ୱାରା ଖୋର୍ଦ୍ଧା ଭୋଇବଂଶୀୟ ରାଜା ପୁରୁଷୋତ୍ତମ ଦେବଙ୍କ ରାଜତ୍ୱର ୧୨ ଅଙ୍କ ଅର୍ଥାତ୍‌ ୧୬୦୮/୦୯ ଖ୍ରୀଷ୍ଟାବ୍ଦରେ ନିର୍ମିତ ହୋଇଥିଲା ବୋଲି ଅଭିଲେଖରୁ ଜଣାପଡୁଛି।
ପୁନରୁଦ୍ଧାର କାର୍ଯ୍ୟବେଳେ ଶିଳାଲେଖ ଯେପରି ସୁରକ୍ଷିତ ରହିବ, ସେଥିପ୍ରତି ଧ୍ୟାନ ଦେବାକୁ ଇନଟାକ ସଦସ୍ୟ ନାୟକ ଗୁରୁତ୍ୱ ଦେଇଛନ୍ତି। ଅନ୍ୟପଟେ ଟ୍ରଷ୍ଟ ସଦସ୍ୟ ଆକାଶ ପଟ୍ଟନାୟକ କହିଛନ୍ତି, ଏହି ପ୍ରାଚୀନ କୂଅଟି କଟକ ପାଇଁ ଐତିହାସିକ। ପୁନରୁଦ୍ଧାର ପରେ ଏହାର ଐତିହାସିକ ଗୁରୁତ୍ୱ ପ୍ରତିପାଦନ ପାଇଁ ଏକ ସୂଚନାଫଳକ ମାଧ୍ୟମରେ ବାମ୍ଫି ସମ୍ବନ୍ଧୀୟ ସମସ୍ତ ଐତିହାସିକ ତଥ୍ୟ ଉପସ୍ଥାପନା କରାଯିବା ଉଚିତ।