୪୦ ବର୍ଷରେ ପାଦ ଥାପିଲା ନାଲ୍‌କୋ:ପ୍ରତିଷ୍ଠା ଦିବସ ପାଳନ ଆଜି

ବଅଁରପାଳ,୭।୧ (ଡି.ଏନ୍‌.ଏ.)

ଅନୁଗୋଳ ଜିଲା ନାଲ୍‌କୋ ପକ୍ଷରୁ ୪୦ତମ ପ୍ରତିଷ୍ଠା ଦିବସ ମଙ୍ଗଳବାର ପାଳନ କରାଯିବ। ଏଥିପାଇଁ ନାଲ୍‌କୋ କର୍ତ୍ତୃପକ୍ଷଙ୍କ ମଧ୍ୟରେ ବେଶ୍‌ ତତ୍ପରତା ପ୍ରକାଶ ପାଇଛି। ସନ୍ଧ୍ୟାରେ ମିନା ବଜାର ପଡ଼ିଆ ଠାରେ ଏହି ପ୍ରତିଷ୍ଠା ଦିବସ ଉତ୍ସବର ଆୟୋଜନ କରାଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଇନ୍‌କମ୍‌ ଟାକ୍ସ ପ୍ରିନ୍ସିପାଲ ଚିଫ୍‌ କମିଶନର ପ୍ରଣବ କୁମାର ଦାଶ ଯୋଗଦେବେ। ସେହିପରି ସମ୍ମାନିତ ଅତିଥି ଭାବେ ନାଲ୍‌କୋର ପୂର୍ବତନ ନିର୍ବାହୀ ନିର୍ଦ୍ଦେଶକ ଉମାବଲଭ ପଟ୍ଟନାୟକ, ଡିଆଇଜି ନିରସିଂହ ଭୋଳ, ଜିଲାପାଳ ମନୋଜ କୁମାର ମହାନ୍ତି, ଏସ୍‌ପି ଜଗମୋହନ ମୀନା, ଅତିରିକ୍ତ ଜିଲାପାଳ ତପନ କୁମାର ଶତପଥୀ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ୮ ତାରିଖ ଦିନ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ ଯୋଗଦେବେ। ଏ ନେଇ ନାଲ୍‌କୋ ପକ୍ଷରୁ ଏକ ପ୍ରେସ୍‌ ବିବୃତି ପ୍ରକାଶ କରାଯାଇଛି। ଏଥିରେ କମ୍ପାନୀ ପକ୍ଷରୁ କରାଯାଇଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ସମ୍ପର୍କରେ ସୂଚନା ଦିଆଯାଇଛି। ବିଶେଷକରି ରାସ୍ତା, ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା, ପୋଖରୀ ପୁନରୁଦ୍ଧାର କାର୍ଯ୍ୟ, ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ସେବା ତଥା ଓପିଡି ବ୍ୟବସ୍ଥା, ବେକାର ଯୁବତୀ ଓ ଯୁବକମାନଙ୍କୁ ତାଲିମ ଦିଆଯାଇ ନିଯୁକ୍ତି ସୁବିଧା, ଅଞ୍ଚଳରେ ବୃକ୍ଷରୋପଣ କାର୍ଯ୍ୟକ୍ରମ, ପରିବେଶ ସୁରକ୍ଷା, ପାରିପାର୍ଶ୍ୱକ ଅଞ୍ଚଳରେ ଥିବା ସ୍କୁଲ ଗୁଡ଼ିକର ଉନ୍ନତୀକରଣ, ନାଲକୋ ଲାଡ୍‌ଲ୍ଲି ଯୋଜନାରେ ଗରିବ ଶ୍ରେଣୀର ମେଧାବୀ ଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ, ସ୍ବଚ୍ଛଭାରତ ଅଭିଯାନ କାର୍ଯ୍ୟକ୍ରମ, ବିଭିନ୍ନ ସମୟରେ ଦିବ୍ୟାଙ୍ଗମାନଙ୍କୁ ସହାୟତା ପ୍ରଦାନ ତଥା ପାରିପାର୍ଶ୍ୱିକ ଅଞ୍ଚଳର ବିକାଶ ପାଇଁ ନାଲ୍‌କୋ ସଦାସର୍ବଦା ପ୍ରୟାସ ଜାରି ରଖିଛି ବୋଲି ଉକ୍ତ ପ୍ରେସ୍‌ ବିବୃତିରେ ସୂଚନା ଦିଆଯାଇଛି।